ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର: କଟକଣା ମଧ୍ୟରେ ପାଳନ ହେବ ଇଦ୍‌, ଝୁଲଣ

ଭଦ୍ରକ ଅଫିସ,୨୪ା୭: ଲକ୍‌ଡାଉନ୍‌ ସ୍ଥିତିକୁ ନେଇ ଜିଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ଶ୍ରାବଣ ମାସର ଶେଷ ସୋମବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଝୁଲଣଯାତ୍ରା ପଡୁଥିବାରୁ ଏହାକୁ କଟକଣାର ସହିତ ପାଳନ କରାଯିବ। ଅନୁରୂପ ଭାବେ ଆଗାମୀ ଇଦ୍‌ ଏହି କଟକଣା ସମୟ ମଧ୍ୟରେ ପଡୁଥିବାରୁ ଏହା ମଧ୍ୟ କଟକଣା ମଧ୍ୟରେ ପାଳନ ହେବ । ଏଥି ନିମନ୍ତେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ଶାନ୍ତି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଭଦ୍ରକର ମୁସ୍‌ଲିମ୍‌ ଜମାତର ମୁଖିଆ ଏବଂ ହିନ୍ଦୁ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଜିଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର (ସା), ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା, ଉପଜିଲାପାଳ ପୀତାମ୍ବର ସାମଲ, ଚଉଦ ମହଲା ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ, ହିନ୍ଦୁ ସୁରକ୍ଷା ସମିତିର ପବନ ବାଗେଡିଆ, ବିଦ୍ୟାଧର ସାହୁ, ଗୋପାଳ ସାହୁ ପ୍ରମୁଖ ଭାଗ ନେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, କୌଣସି ମନ୍ଦିର ଓ ଧର୍ମାନୁଷ୍ଠାନରେ ଧାର୍ମିକ ସଭା କିମ୍ବା ଭକ୍ତମାନଙ୍କ ଏକତ୍ର ହେବା ଉପରେ ନିଷେଧାଦେଶ ବଳବତ୍ତର ଥିବାରୁ ଜିଲା ପ୍ରଶାସନ ଏହାକୁ ପାଳନ କରିବାକୁ ଯାଇ ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଯାହା ଶ୍ରାବଣମାସର ଶେଷ ସୋମବାର ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ ଝୁଲଣଯାତ୍ରା ପର୍ବ ପଡୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ପର୍ବ ପାଳନ କରିବେ। ସେହିଭଳି ବକ୍ରି ଇଦ୍‌ ଅବସରରେ ମସ୍‌ଜିଦ୍‌ରେ କେବଳ ୫ ଜଣ ଶ୍ରଦ୍ଧାଳୁ ସାମାଜିକ ଦୂରତ୍ୱ ରକ୍ଷା କରି ନମାଜ ପାଠ କରି ପାରିବେ । କୌଣସି ପରିସ୍ଥିତିରେ ସଂଖ୍ୟାଧିକ ଲୋକ ଏକତ୍ରିତ ନ ହେବା ଓ ପର୍ବକୁ ନିରାଡମ୍ବର ଭାବେ ବିଧିମତେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।