ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ଅଧିକାରୀଙ୍କ ପ୍ରୟାସ

ଚିତ୍ରକୋଣ୍ଡା,୨୧।୩: ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲାକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି l ପ୍ରତ୍ୟେକ ମଙ୍ଗଳବାର ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ଟ୍ରାଫିକ ନିୟମ ପାଳନ କରିବାକୁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନାର ସମସ୍ତ ପୋଲିସ ଅଧିକାରୀ ତଥା କର୍ମଚାରୀମାନଙ୍କୁ ନେଇ ଚିତ୍ରକୋଣ୍ଡା ପଞ୍ଜାବୀ ଛକଠାରେ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯିବା ସହ ଲାଇସେନ୍ସ ଓ ହେଲମେଟ ଯାଞ୍ଚ କରାଯାଇ ବାଇକ୍‌ ଚଳାଇବା ବେଳେ ହେଲମେଟ୍‌ ପିନ୍ଧି ଜୀବନକୁ ସୁରକ୍ଷିତ ରଖିବାକୁ ସଚେତନତା ବାର୍ତ୍ତା ଦିଆଯାଇଛି। ଏପରିକି ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା l ଏହି ଅବସରରେ ଗାଡ଼ି ଚାଳକଙ୍କୁ ଅଟକାଇ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା l ଏପରି କି ଅମାନିଆଙ୍କୁ ସତର୍କ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ସହ ଫାଇନ କଟାଯାଇଥିଲା। ଚିତ୍ରକୋଣ୍ଡା ଅଞ୍ଚଳକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ଅଧିକାରୀଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।