ଦିଗପହଣ୍ଡି,୨ା୬ (ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମରେ ମା’ଶ୍ୟାମଲାଈ ଯାତ୍ରାର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ହାଇସ୍କୁଲ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଗ୍ରାମର ଶ୍ରୀଦଧିବାମନ କ୍ରିକେଟ କ୍ଳବ୍ ପକ୍ଷରୁ ଆୟୋଜିତ ଶିବିରକୁ ପ୍ରଧାନଶିକ୍ଷକ ମନୋଜ ନାୟକ ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସାମାଜିକ କର୍ମୀ ଶ୍ରୀନିବାସ ପଣ୍ଡାଙ୍କ ସଂଯୋଜନାରେ ବହୁ ଯୁବଗୋଷ୍ଠୀ ଉପସ୍ଥିତ ରହି ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼, ସାମାଜିକ କର୍ମୀ ସନ୍ତୋଷ ନାୟକ, ଶାନ୍ତନୁ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଅଚ୍ୟୁତାନନ୍ଦ ପଣ୍ଡାଙ୍କ ସମେତ ବହୁ ସ୍ବେଚ୍ଛାସେବୀ, କ୍ରିକେଟ କ୍ଳବ୍ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।


