ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ଭାରତର ଅର୍ଥନୈତିକ ସର୍ଭେ (୨୦୨୫-୨୬) ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସୂଚନା ଦେଇଛନ୍ତି।
ରାଜ୍ୟର ମୋଟ ନିଟ୍ ଘରୋଇ ଉତ୍ପାଦ (NSDP) ୨୦୨୩-୨୪ର ୬.୯୯ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୭.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅଭିବୃଦ୍ଧି ହାର ୧୩.୦୪ ପ୍ରତିଶତ ରହିଛି।
କୃଷି କ୍ଷେତ୍ରରେ ଓଡ଼ିଶାର ଦବଦବା ବଢିବାରେ ଲାଗିଛି। ବର୍ତ୍ତମାନ ଦେଶର ଟପ୍-୩ ସୂର୍ଯ୍ୟମୁଖୀ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ସେହିପରି ରାଜ୍ୟରେ ବ୍ୟାଙ୍କ ଜମା ପରିମାଣ ୫.୮୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଲୋକଙ୍କ ସଞ୍ଚୟ ଏବଂ ନିବେଶ କ୍ଷମତା ବଢୁଥିବାର ସୂଚନା ଦେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ଏହି ରିପୋର୍ଟ ଓଡ଼ିଶାର ସ୍ଥାୟୀ ଏବଂ ସମାବେଶୀ ବିକାଶକୁ ପ୍ରମାଣିତ କରୁଛି। ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥିବାରୁ ଶିକ୍ଷା, ଭିତ୍ତିଭୂମି ଏବଂ ସମାଜ ମଙ୍ଗଳ କାର୍ଯ୍ୟରେ ଅଧିକ ପୁଞ୍ଜି ନିବେଶ କରାଯାଉଛି। ପ୍ରତିଟି ଓଡ଼ିଆଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ଗୁଣାତ୍ମକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଏହି ଅଭିବୃଦ୍ଧିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ।”

