Categories: ବାଣିଜ୍ୟ

ଅର୍ଥନୈତିକ ସୁଧାର ତ୍ୱରାନ୍ବିତ ହେବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ୬%ରୁ ଉର୍ଦ୍ଧ୍ୱ ରହିପାରେ। ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ରିପୋର୍ଟ ମୁତାବକ, ତେଲକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଦରଦାମ ବଢିବା ଯୋଗୁ ଖାଉଟି ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ସବୁଠାରୁ ଉଚ୍ଚରେ ପହଞ୍ଚିପାରେ। ପନିପରିବା ଏବଂ ଅଣ୍ଡା ଭଳି ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭.୬୧% ରହିଛି। ଗତ ସାଢେ ଛଅ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ସବୁଠାରୁ ଉଚ୍ଚରେ ରହିଛି। ରିଜର୍ଭ ବ୍ୟାଙ୍କ ଅନୁମାନଠାରୁ ଏହି ସ୍ତର ଢେର ଅଧିକ। ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୭.୨୭% ସ୍ତରରେ ରହିଥିଲା।
ସେହିଭଳି ରେଟିଂ ଏଜେନ୍ସି ମୁଡିସ୍‌ କହିଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧାର ପଥକୁ ଫେରୁଛି। ୨୦୨୦ରେ ଭାରତର ଜିଡିପି ହ୍ରାସ ୮.୯% ରହିପାରେ। ଜିଡିପି ୯.୬% ଖସିବ ବୋଲି ମୁଡିସ ଏହା ପୂର୍ବରୁ କହିଥିଲା। ଭାରତ, ବ୍ରାଜିଲ, ମେକ୍ସିକୋ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡିକରେ ମୁଦ୍ରାନୀତି ହ୍ରାସ ହେବାର ସମ୍ଭାବନା ରହିଥିବା କହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଜିଡିପି ୮.୬% ଖସିବ ବୋଲି ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି। ଲଗାତର ଦ୍ୱିତୀୟ ତ୍ରୈମାସ ଲାଗି ଦେଶର ଅର୍ଥ ବ୍ୟବସ୍ଥା ଖସିବା ଯୋଗୁ ମାନ୍ଦାବସ୍ଥା ମଧ୍ୟରେ ଭାରତ ଫସିଯାଇଛି ବୋଲି ଅଧିକାରୀ ମତ ରଖିଛନ୍ତି। ଲକ୍‌ଡାଉନ କାରଣରୁ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ହ୍ରାସ ପରିଲକ୍ଷିତ ହୋଇଛି।

Share