ଆର୍ଥିକ ଅଭିବୃଦ୍ଧି ଆଶା ଉଜ୍ଜୀବିତ

ଯୋଡ଼ା,୨୦।୧୧(ଡି.ଏନ.ଏ): ପୂର୍ବରୁ ଲାଗୁ ହୋଇଥିବା ଲୁହାପଥର ରପ୍ତାନି କର ଯୋଗୁଁ ଦେଶରେ ରପ୍ତାନି କମିଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରପ୍ତାନି କରକୁ ହ୍ରାସ କରିଛନ୍ତି। ଶୁକ୍ରବାର ରାତିରେ କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କର ହ୍ରାସ ପରେ ଦେଶରେ ରୁଗ୍‌ଣ ହୋଇ ପଡ଼ିଥିବା ଶିଳ୍ପ ପୁନଃ ଚାଲିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ମଧ୍ୟ ଉଜ୍ଜୀବିତ୍‌ ହୋଇଛି।
ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ ସୂଚନା ମୁତାବକ, ଶତକଡ଼ା ୫୮ ପ୍ରତିଶତ ଲୁହାପଥରର ମାନ (ଗ୍ରେଡ୍‌)ରୁ କମ୍‌ ଥିବା ଲୁହାପଥର ଲମ୍ପସ, ଫାଇନ୍ସ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ । ୫୮ପ୍ରତିଶତ ଓ ତଦୂଦ୍ଧର୍‌ବ ଥିବା ଗ୍ରେଡ୍‌ ଲୁହାପଥର ଉପରେ ଶତକଡ଼ା ୩୦ ପ୍ରତିଶତ ଲାଗୁ କରାଯାଇଛି। ସେହିପରି ପିଗ୍‌ ଆଇରନ, ଆଇରନ ଓର ପିଲେଟ, ଷ୍ଟିଲ୍‌ ପ୍ରଡକ୍ଟ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ। ଚଳିତ ବର୍ଷ ମେ ମାସଠାରୁ ଶତକଡ଼ା ୫୮ଗ୍ରେଡ୍‌ରୁ କମ୍‌ ଥିବା ଲୁହାପଥର ଉପରେ ଶତକଡ଼ା ୫୦ ପ୍ରତିଶତ ରପ୍ତାନି କର ଲାଗୁ କରାଯାଇଥିଲା। ଏହାଦ୍ବାରା ଭାରତରୁ ଲୁହାପଥର ରପ୍ତାନିରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ଏହା ଦ୍ୱାରା ଘରୋଇ ବଜାରରେ ଷ୍ଟିଲ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଥିଲା।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରେ ୧.୫ ମିଲିୟନ ଟନ୍‌ ରପ୍ତାନି ହୋଇଥିବା ବେଳେ ଚଳିତ ବର୍ଷ ୨୦୨୨ରେ ଏହା ହ୍ରାସ ପାଇ ୩ ଲକ୍ଷ ୬୦ ହଜାର ମେଟ୍ରିକ୍‌ ହୋଇଛି। ରପ୍ତାନି କର ବୃଦ୍ଧି ଯୋଗୁଁ ପିଲେଟ୍‌ ରପ୍ତାନି ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଦେଶରେ ପିଲେଟ୍‌ ଶିଳ୍ପ ସଙ୍କଟରେ ପଡ଼ିଥିଲା। ଅଧିକାଂଶ ପିଲେଟ କାରଖାନା ବନ୍ଦ ହେବାକୁ ବସିଥିଲା। ଶିଳ୍ପ ସଂଘଗୁଡ଼ିକ ରପ୍ତାନି କର ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରେ ଦାବି କରି ଆସୁଥିଲେ। ଲୁହାପଥରର ରପ୍ତାନି ହ୍ରାସ ପରେ ମୂଲ୍ୟ ଅହେତୁକ ଭାବେ ହ୍ରାସ ଘଟିଥିଲା। ଫଳରେ ସରକାରଙ୍କ ରାଜସ୍ବ ଆଦାୟ ଉପରେ ବ୍ୟାପକ ପ୍ରଭାବ ପଡ଼ିଥିଲା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବା ପରେ ବିଭିନ୍ନ ଖଣିରେ ଲୁହାପଥର କାରବାରକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୁହାପଥର ଗ୍ରେଡ୍‌କୁ ହେରଫେର କରି ଅଧିକ ଗ୍ରେଡ୍‌ର ଲୁହାପଥରକୁ ୫୮ପ୍ରତିଶତ ଗ୍ରେଡ୍‌ରୁ କମ୍‌ ଦର୍ଶାଇ ରପ୍ତାନି କରି ଅନିୟମିତତା କରିବାର ଆଶଙ୍କା ରହିଥିବା ଖଣି ବିଶାରଦମାନେ ମତ ପ୍ରକାଶ କରିଛନ୍ତି।