ମୀରପୁର,୨୧।୧୧: ଟେଷ୍ଟ କ୍ରିକେଟ ଇତିହାସରେ ବିଭିନ୍ନ କାରଣରୁ ମ୍ୟାଚ ବନ୍ଦ ହୋଇଥିବା ଅନେକ ଘଟଣା ଘଟିଛି। କ୍ରିକେଟ ମ୍ୟାଚ୍ରେ ବର୍ଷା ପ୍ରାୟତଃ ବାଧା ସୃଷ୍ଟି କରିବାର ସବୁଠାରୁ ସାଧାରଣ କାରଣ। ମୀରପୁରର ଶେର-ଏ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳ ଚାଲିଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭୂକମ୍ପ ଯୋଗୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ଶୁକ୍ରବାର ସକାଳେ ବାଂଲାଦେଶରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହା ମ୍ୟାଚ ଉପରେ ପ୍ରଭାବ ପକାଇଥିଲା।
ଆମେରିକୀୟ ଏଜେନ୍ସି USGS ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ନରସିଙ୍ଗଡି ନିକଟରେ ଥିଲା ଏବଂ ସକାଳ ୧୦:୦୮ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ର ପ୍ରଥମ ସେସନ ଚାଲିଥିଲା। ଦ୍ୱିତୀୟ ଇନିଂସର ୫୫ତମ ଓଭର ପରେ ଆୟର୍ଲାଣ୍ଡର ସ୍କୋର ୫ ଉଇକେଟ ହରାଇ ୧୬୫ ରନ ଥିଲା। ଭୂକମ୍ପ ଖେଳକୁ କିଛି ସମୟ ପାଇଁ ବାଧା ଦେଇଥିଲା। ତଥାପି, କିଛି ମିନିଟ ପରେ ଖେଳ ପୁଣି ଆରମ୍ଭ ହୋଇଥିଲା।
କ୍ରିକେଟ ଆୟର୍ଲାଣ୍ଡ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି, ୱାଓ! ଏଠାରେ ଏକ ଛୋଟ ଭୂକମ୍ପ ଯୋଗୁ ଖେଳ ବନ୍ଦ କରାଯାଇଛି। ଏହି ଭୂକମ୍ପ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଲା, ଏବଂ ଖେଳାଳିମାନେ ପଡ଼ିଆରେ ବସିଗଲେ। ଡ୍ରେସିଂ ରୁମରେ ଥିବା ଖେଳାଳିମାନେ ମଧ୍ୟ ତଳକୁ ପଳାଇଆସିଥିଲେ। କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ୨୦୨୨ରେ ସମାନ ଘଟଣା ଘଟିଥିଲା। ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ୧୯ ବର୍ଷରୁ କମ ମ୍ୟାଚ ଭିକମ୍ପ ଯୋଗୁ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା।
ବାଂଲାଦେଶ ଏପର୍ଯ୍ୟନ୍ତ ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪୭୬ ରନ କରିପାରିଛି। ଜବାବରେ, ଆୟର୍ଲାଣ୍ଡ ମାତ୍ର ୧୭୫ ରନରେ ୭ ଉଇକେଟ ହରାଇଛି। ଏହାର ଅର୍ଥ ହେଉଛି ବାଂଲାଦେଶ ମ୍ୟାଚ ଉପରେ ତା’ର କବ୍ଜା ବଜାୟ ରଖିଛି। ବାଂଲାଦେଶ ଏହି ସିରିଜର ପ୍ରଥମ ମ୍ୟାଚ ମଧ୍ୟ ଜିତିଥିଲା। ଏହି ମ୍ୟାଚ୍ରେ ଆୟର୍ଲାଣ୍ଡକୁ ଏକ ଇନିଂସ ଏବଂ ୪୭ ରନରେ ପରାସ୍ତ କରିଥିଲା।
Dharitri – Odisha’s No.1 Odia Daily

