Categories: ମେଟ୍ରୋ

୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ଆଉ ୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ ବ୍ୟବସ୍ଥା ହେବ। ୩୧ ଡିଏଚ୍‌ଏଚ୍‌, ୧୧ ଏମ୍‌ସିଏଚ୍‌ ଓ ୧୦୬ ୟୁପିଏଚ୍‌ସିଠାରେ କଷ୍ଟୋମାଇଜ୍‌ଡ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ଲାଗୁ କରାଯିବ। ଏଥିପାଇଁ ଶୁକ୍ରବାର ରାଜ୍ୟ ସରକାର ଓ ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍ସଡ କମ୍ପ୍ୟୁଟିଙ୍ଗ୍‌(ସି-ଡାକ୍‌) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଓ ସି-ଡାକ୍‌ ପକ୍ଷରୁ ରାଜୀବ ଯାଦବ ଏହି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହାଦ୍ୱାରା ରାଜ୍ୟର ଜନସାଧାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ ହୋଇପାରିବେ। ଏହା ମାଧ୍ୟମରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ ସହ ଓପିଡି ପାଇଁ ରେଜିଷ୍ଟ୍ରେଶନ୍‌ କରାଯାଇପାରିବ। ଲୋକେ ଆଉ ଧାଡ଼ିରେ ଠିଆ ନ ହୋଇ ଘରେ ବସି ମୋବାଇଲ୍‌ ଆପ୍ଲିକେଶନ ମାଧ୍ୟମରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ନେଇପାରିବ। ଏହା ମାଧ୍ୟମରେ ଇଲେକ୍ଟ୍ରୋନିକ୍‌ ହେଲ୍‌ଥ ରେକର୍ଡ ସାଇତି ରଖାଯିବା ସହ ବିଭିନ୍ନ ନିଦାନର ରିପୋର୍ଟ ମଧ୍ୟ ମିଳିପାରିବ। ସି-ଡାକ୍‌ ପକ୍ଷରୁ ସଫ୍ଟୱେୟାର ଏବଂ ଓକାକ୍‌ ପକ୍ଷରୁ ହାଡ୍‌ୱେୟାର ବ୍ୟବସ୍ଥା କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଓ ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ ସିଷ୍ଟମ୍‌ ଲାଗୁ କରିବା ନିମନ୍ତେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ସି-ଡାକ୍‌ ସହ ଏକ ଚୁକ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) କଟକଠାରେ ଏହି ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟକାରୀ ହୋଇଛି।