Categories: ଗଜପତି

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଡି ହୋଇଥିଲେ। ଜିଲା ଦୈରାଜଜ ସତ୍ୟପୀର ମିଶ୍ର, ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନିରୀକ୍ଷଣ ତଥା ମାଷ୍ଟର ଟ୍ରେନର) ପ୍ରଭାକର ଗଣ୍ଠିଆ, ଗଜପତି ଜିଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ତଥା ମାଷ୍ଟର ଟ୍ରେନର ଚିନ୍ମୟ ମିଶ୍ର, ପାରଳାଖେମୁଣ୍ଡି ବାର ଆସୋସିଏଶନର ସଭାପତି ରାମନାଥ ମିଶ୍ର, ସମ୍ପାଦକ ଏମ.ପୃଥିବୀରାଜ ପ୍ରମୁଖ ଉପସ୍ଥିତ ଥିଲେ । ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେ କୌଣସି ସମୟରେ ମାମଲା ଦାଖଲ କରିବା, ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ୍‌ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହେବ। ଅପଲୋଡ ହୋଇଥିବା ଆଦେଶ ତଥା ବିଚାରଗୁଡିକ ସ୍ବୟଂଚାଳିତ ଭାବରେ ଆଇନଜୀବୀମାନଙ୍କୁ ସୂଚିତ କରାଯିବ। ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆଯାଇଥିବା ବେଳେ ତଥ୍ୟଗୁଡିକ ସ୍ବଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚିପାରିବ ସେନେଇ ମୁଖ୍ୟ ବିଚାରପତି ବିସ୍ତୃତ ଭାବେ କହିଥିଲେ । ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।