Categories: ବାଣିଜ୍ୟ

ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ପରିବର୍ତ୍ତନ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପ୍‌କାର୍ଟ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କମ୍ପାନୀଗୁଡିକ ବର୍ତ୍ତମାନ ସେମାନଙ୍କ ବ୍ୟାକ୍‌ଏଣ୍ଡ ସିଷ୍ଟମକୁ ଅପ୍‌ଡେଟ୍‌ କରାଉଛନ୍ତି। ସେମାନଙ୍କ ପ୍ଲାଟ୍‌ଫର୍ମରେ ସୂଚୀଭୁକ୍ତ ହେଉଥିବା ନୂଆ ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ସେଲରମାନେ ତାକୁ ସହଜରେ ଚିହ୍ନିଟ କରିବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ୨ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁ ପ୍ରକ୍ରିୟା ଶେଷ କରିବା ଲାଗି ଅନ୍ତତଃ ପକ୍ଷେ ୩ ମାସ ସମୟ ଲାଗିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ଇ-କମର୍ସ ପ୍ଲାଟ୍‌ଫର୍ମରେ ବିପୁଳ ସଂଖ୍ୟାରେ ପ୍ରଡକ୍ଟ ବିକ୍ରି ହୋଇଥାଏ। ପରିବର୍ତ୍ତିତ ନିୟମକୁ ପ୍ରଥମେ ନୂଆ ପ୍ରଡକ୍ଟରୁ ଆରମ୍ଭ କରାଯିବାକୁ କମ୍ପାନୀ ଯୋଜନା କରିଛନ୍ତି। ଏ ନେଇ ଆମାଜନ, ଫ୍ଲିପ୍‌କାର୍ଟ ଏବଂ ଡିପିଆଇଆଇଟିର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବା ଲାଗି ଏଭଳି ହେଉଥିବା ଜଣାପଡିଛି। ବର୍ତ୍ତମାନ ଦେଶ ମଧ୍ୟରେ ଚାଇନା ସାମଗ୍ରୀ ବର୍ଜନ ନେଇ ଦେଶବ୍ୟାପୀ ଅଭିଯାନ ହେଉଛି।

Share