ପାଣି ନ ପଡ଼ିଲେ ଧୂଳି, ପାଣି ପଡ଼ିଲେ ଦୁର୍ଘଟଣା

ଯୋଡା,୧୭।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ରାଜ୍ୟ ରାଜପଥ ନଂ.୨ରେ ନିର୍ମାଣାଧୀନ ଫ୍ଲାଏ ଓଭର କାର୍ଯ୍ୟ ଚାଲିଛି। ତେବେ ସହରରେ ଥିବା ସର୍ଭିସ ରୋଡ୍‌ଗୁଡ଼ିକ ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବା ଏବଂ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ତେଣେ ଆଂଶିକ ନିର୍ମାଣାଧୀନ ରାସ୍ତାରେ ପିଚୁ ନ ପକାଯାଇ ମାଟି ପକାଯାଉଥିବାରୁ ଧୂଳି ଉଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ଏପରି ସମସ୍ୟା ହୋଇଛି ଯେ,ଧୂଳି ଧୂଅଁାରେ ସମ୍ମୁଖ ଗାଡ଼ି ଦେଖା ଯାଉନାହିଁ ବୋଲି ଏମ ଡି ଜସିମ, ଧ୍ରୁବ ଆପଟ୍ଟ, ଦୈତାରି ମହାନ୍ତ ପ୍ରମୁଖ ବାଇକ୍‌ ଆରୋହୀ କହିଛନ୍ତି। ତେଣେ ଧୂଳି ଉଡ଼ିବା ପ୍ରତିବାଦରେ ବସ୍ତି ବାସିନ୍ଦାମାନେ ରାସ୍ତା ବନ୍ଦ କଲେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତାରେ ଜଳ ସିଞ୍ଚନ କରାଯାଉଛି। ଏହାଦ୍ବାରା ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପଚପଚ ହୋଇ ଯାତାୟାତ ଅନୁପୋଯୋଗୀ ହୋଇ ପଡ଼ୁଛି। ରାସ୍ତା ନିର୍ମାଣରେ ବିଳମ୍ବ ହେତୁ ମହାବୀର ଛକଠାରୁ ସରକାରୀ ଡାକ୍ତରଖନା ପର୍ଯ୍ୟନ୍ତ ରାସ୍ତାଟି ଏହିପରି ଅବସ୍ଥା ହେଉଛି । ଏ ସମ୍ପର୍କରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡାଙ୍କୁ ପଚାରିବାରୁ ଉଭୟ ଫ୍ଲାଏ ଓଭର ଓ ସର୍ଭିସ ରୋଡ୍‌କୁ ସେପ୍ଟେମ୍ବର ମାସ ୩୦ ସୁଦ୍ଧା ଶେଷ କରାଯିବାର ସମୟ ଅବଧି ଥିଲା। ମାତ୍ର କେତେକ ସମସ୍ୟା ହେତୁ ତାହା ପ୍ରାୟ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଲାଗିଯିବ। ସରକାରୀ ଡାକ୍ତରଖାନା ନିକଟରେ ଜଣେ ବ୍ୟକ୍ତିଙ୍କ ବିଲ୍ଡିଂରୁ ଅନବରତ ପାଣି ନିଷ୍କାସନ ହୋଇ ରାସ୍ତାରେ ପଡୁଛି। ଯାହାଦାରା ଉକ୍ତ ନିର୍ଦ୍ଦିିଷ୍ଟ ସ୍ଥାନରେ ହିଁ ରାସ୍ତା ପିଚ୍ଛିଳ ହୋଇ ବାଇକ୍‌ ଆରୋହୀମାନେ ପଡ଼ୁଥିବା କହିଛନ୍ତି। ଏ ନେଇ ସଂସ୍ଥା ପକ୍ଷରୁ ଯୋଡ଼ା ପୌରପାଳିକା ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।