Categories: ବାଣିଜ୍ୟ

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ ସରକାର ବ୍ୟାଙ୍କକୁ ନ ମିଶାଇ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତେବେ ସରକାରୀ ବ୍ୟାଙ୍କର ସଂଖ୍ୟା ୨୭ରୁ କମି ୫ରେ ପହଞ୍ଚିବ।

୨୦୧୭ ଏପ୍ରିଲ ପୂର୍ବରୁ ଦେଶରେ ବ୍ୟାଙ୍କର ସଂଖ୍ୟା ୨୭ ଥିଲା। ହେଲେ ସରକାରୀ ବ୍ୟାଙ୍କର ବିଲୟ ଯୋଜନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ଆରମ୍ଭ ହୋଇଥିଲା। ତଦନୁଯାୟୀ ଏସ୍‌ବିଆଇରେ ୫ ସହାୟକ ବ୍ୟାଙ୍କ ମିଶିଥିଲା। ଯେଉଁଥିରେ ରହିଥିଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ତ୍ରାବଣକୋର ଏବଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ମୈସୁରର ମିଶ୍ରଣ ହୋଇଥିଲା। ଏହାପରେ ୨୦୧୮ରେ ବ୍ୟାଙ୍କ ଅଫ୍‌ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବିଲୟ ହୋଇଥିଲା। ୨୦୧୯ ଜାନୁୟାରୀରେ ଆଇଡିବିଆଇ ବ୍ୟାଙ୍କକୁ ଘରୋଇ ବ୍ୟାଙ୍କ ଘୋଷଣା କରାଯାଇଥିଲା।

ସରକାର ପୁଣି ୧୦ ବ୍ୟାଙ୍କକୁ ମିଶାଇ ୪ କରିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ସଂକଟ ସମୟରେ ୨୦୧୦ ଏପ୍ରିଲ ୧ରେ ୪ ନୂଆ ବ୍ୟାଙ୍କ ଆସିଛି। ସେଥିରେ ୬ ବ୍ୟାଙ୍କର ମିଶ୍ରଣ ହୋଇଛି। ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ୍‌ ବ୍ୟାଙ୍କରେ ବିଲୟ ହୋଇଛି। ଏହାଛଡ଼ା ପିଏନ୍‌ବିରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ବିଲୟ କରାଯାଇଛି। ସେହିଭଳି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କୁ ସାମିଲ କରାଯାଇଛି। ସିଣ୍ଡିକେଟ୍‌ ବ୍ୟାଙ୍କକୁ କାନାରା ବ୍ୟାଙ୍କରେ, ବ୍ୟାଙ୍କ ଅଫ୍‌ ବରୋଦାରେ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ବିଲୟ କରାଯାଇଛି। ଏହାଦ୍ୱାରା ମୋଦି ସରକାରଙ୍କ ସମୟରେ ସରକାରୀ ବ୍ୟାଙ୍କର ସଂଖ୍ୟା ୨୭ରୁ କମ୍‌ ହୋଇ ୧୨ରେ ପହଞ୍ଚିଛି।

ଏବେ ସରକାର ବିଲୟ ପରିବର୍ତ୍ତେ ଘରୋଇକରଣ କରିବାକୁ ଯାଉଛନ୍ତି। ବିଶେଷକରି ସରକାର ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ଅଂଶଧନ ବିକିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଫଳରେ ୪ରୁ ୫ ସରକାରୀ ବ୍ୟାଙ୍କ ରଖିବାକୁ ସରକାର ଯୋଜନା କରୁଛନ୍ତିି। ଅପରପକ୍ଷେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

Share