ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର୍ ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ବୀକୃତି ଦେଇ ପ୍ରଶାସନ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ନିଜର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ତୁଲାଇବା ସହ ସେ ପ୍ରକୃତିର ସୁରକ୍ଷାକୁ ନିଜ ଜୀବନର ଅନ୍ୟ ଏକ ବ୍ରତ ଭାବେ ଗ୍ରହଣ କରିଛନ୍ତି। ଯାହା ତାଙ୍କୁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସାରଦାଙ୍କ ପ୍ରେରଣା ଓ ସ୍ବତନ୍ତ୍ର ନେତୃତ୍ୱରେ ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ୩ ଜହାରରୁ ଅଧିକ ଗଛ ଲଗାଯାଇ ସେଗୁଡ଼ିକର ସୁରକ୍ଷିତ ରକ୍ଷଣାବେକ୍ଷଣ କରାଯାଉଛି। କେବଳ ବୃକ୍ଷରୋପଣ ନୁହେଁ ବରଂ ଗଛଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ସେ ସବୁବେଳେ ଯତ୍ନବାନ ରହିଛନ୍ତି। ତାଙ୍କର ଏହି ସଫଳତା ଓ ସମ୍ମାନ ପ୍ରାପ୍ତି ପରେ ଅଷ୍ଟମ ବାଟାଲିୟନ ସମେତ ସମଗ୍ର ଗଞ୍ଜାମ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଏହି ଗୌରବମୟ ମୁହୂର୍ତ୍ତ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

