ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ ଛାତ୍ରୀମାନେ ଶୌଚ ପାଇଁ ୫୦ ମିଟର ଦୂରରେ ଥିବା ନାଳକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଏଭଳି ମୌଳିକ ସମସ୍ୟାର ସମାଧାନ ଦାବିରେ ସ୍କୁଲ ପରିଚାଳନା କମିଟି ଶ୍ରେଣୀଗୃହରେ ତାଲା ପକାଇଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ବସି ପ୍ରତିବାଦ କରିଛନ୍ତି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ସୋମବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଶୌଚାଳୟ ଓ ପାଣିର ସୁବିଧା ନଥିବାରୁ ବଡ଼ ଝିଅମାନେ ଶୌଚ ପାଇଁ ସ୍କୁଲଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏକ ନାଳକୁ ଯାଉଛନ୍ତି। ନାଳ ଅଞ୍ଚଳଟି ଜଙ୍ଗଲିଆ ଓ ଅସୁରକ୍ଷିତ ହୋଇଥିବାରୁ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି। କୌଣସି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଶ୍ରେଣୀଗୃହରେ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ସ୍କୁଲ ପରିସରରେ ସୁରକ୍ଷା ପାଚେରୀ ନ ଥିବାରୁ ବାହାର ଲୋକ, ଗୃହପାଳିତ ପଶୁ ଓ ବିଷଧର ସରୀସୃପ ପ୍ରବେଶ କରିବାର ଆଶଙ୍କା ରହୁଛି।

ବ୍ଲକ ମୁଖ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ସତ୍ତ୍ୱେ ବିଦ୍ୟାଳୟର ଏଭଳି ମୌଳିକ ସମସ୍ୟା ଦୀର୍ଘଦିନ ଧରି ସମାଧାନ ନହେବାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ପରିଚାଳନା କମିଟିର ସଭାନେତ୍ରୀ ସସ୍ମିତା ସାହୁ, ଉପସଭାପତି ଗୌରାଙ୍ଗ ସାହୁଙ୍କ ସମେତ ସଦସ୍ୟମାନେ ଏବଂ ଗ୍ରାମ କମିଟିର ସଭାପତି ମକାରୁ ବେହେରା, ସମ୍ପାଦକ ନରେନ୍ଦ୍ର ସାହୁ ଓ ଅନ୍ୟ ଗ୍ରାମବାସୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ସହ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକେଶିନୀ ମାଝୀ କହିଛନ୍ତି, ସେ କିଛି ମାସ ହେଲା ନୂଆ କରି ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ସେ ଆସିବା ଦିନଠାରୁ ଏହି ସମସ୍ୟା ରହିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର କହିଛନ୍ତି ଯେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସେ ଯନ୍ତ୍ରୀଙ୍କୁ ପଠାଇବେ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ କହିବା ଅନୁଯାୟୀ, ଏହି ବିଦ୍ୟାଳୟ ବ୍ଲକ ଅଧୀନରେ ଥିବାରୁ ସେ ବିଡିଓଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ତେବେ ବିଦ୍ୟାଳୟରେ ପାନୀୟ ଜଳ, ବିଜୁଳି, ଶୌଚାଳୟ ଓ ସୁରକ୍ଷା ପାଚେରୀ ଭଳି ମୌଳିକ ସୁବିଧା କେବେ ସୁଦ୍ଧା ଉପଲବ୍ଧ ହେବ, ତାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅପେକ୍ଷା ରହିଛି।

 

Dharitri – Odisha’s No.1 Odia Daily

 

Share