ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଚିକିତ୍ସାଳୟ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଦୁଇ ତିନି ଦିନ ପୂର୍ବେ ମା’ ଟୁନି ରାଉଳ ଆଉ ଏକ ଶିଶୁ ଜନ୍ମ କରି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ରବିବାର ସନ୍ଧ୍ୟାରେ ୫ ବର୍ଷୀୟା ଶିଶୁକନ୍ୟା ଜଣକ ମା’କୁ ଦେଖିବା ପାଇଁ ଆସିଥିଲେ। ଚିକିତ୍ସାଳୟ ଭିତରେ ପରିବାର ଲୋକଙ୍କୁ ଉକ୍ତ ବ୍ୟକ୍ତି ସମ୍ପର୍କୀୟ ବୋଲି ଦର୍ଶାଇ ଛୁଆଟିକୁ ନିଜ ସାଙ୍ଗରେ ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନେକ ଖୋଜାଖୋଜି କଲା ପରେ ଶିଶୁକନ୍ୟାର କୌଣସି ସନ୍ଧାନ ନ ପାଇବାରୁ ଛତ୍ରପୁର ଥାନାରେ ଶିଶୁକନ୍ୟାର ବାପା ପ୍ରସନ୍ନ ରାଉଳ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଉଛି।

Dharitri – Odisha’s No.1 Odia Daily

Share