ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍ ଏବଂ ଅନ୍ୟାନ୍ୟ ସମାନ ସାମଗ୍ରୀର ବିକ୍ରି, ସଂରକ୍ଷଣ, ବିତରଣ, ବିଜ୍ଞାପନ, ପ୍ରଚାର ଏବଂ ପ୍ରଦର୍ଶନ ଉପରେ ତୁରନ୍ତ ନିଷେଧାଦେଶ ଜାରି କରିଛନ୍ତି।
ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁଯାୟୀ, ଏହି ନିଷେଧାଦେଶ ତୁରନ୍ତ ଲାଗୁ ହେବ ଏବଂ ଏହା ପାନ ଦୋକାନ, ଚା ଦୋକାନ, ଖୁଚୁରା ଗ୍ରୋସରୀ ଷ୍ଟୋର ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ।
ଯୁବକମାନଙ୍କୁ ମାଦକ ଦ୍ରବ୍ୟ ଓ ନିଶା ସେବନରୁ ଦୂରେଇ ରଖିବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ସରକାରଙ୍କ କହିବାନୁଯାୟୀ, ଏହି ଉତ୍ପାଦଗୁଡ଼ିକୁ ନିଶା, ସିଗାରେଟ୍ ଏବଂ ହୁକ୍କା ସାମଗ୍ରୀ ବ୍ୟବହାର ପାଇଁ ଉତ୍ସାହିତ କରାଯାଉଛି, ଯାହା ଯୁବପିଢ଼ିଙ୍କୁ ନିଶାସକ୍ତ କରିବାରେ ସହାୟକ ହେଉଛି।
ଏହି ରୋଲିଂ ପେପରଗୁଡ଼ିକରେ ଟାଇଟାନିୟମ୍ ଡାଇଅକ୍ସାଇଡ୍, ପଟାସିୟମ୍ ନାଇଟ୍ରେଟ୍, କୃତ୍ରିମ ରଙ୍ଗ ଏବଂ କ୍ଲୋରିନ୍ ବ୍ଲିଚ୍ ଭଳି ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ରାସାୟନିକ ପଦାର୍ଥ ରହିଛି।
ଏହି ନିଷେଧାଦେଶ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା 163(2) ଏବଂ 163(3) ଅନୁଯାୟୀ ଜନସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ଶୃଙ୍ଖଳା ସ୍ୱାର୍ଥରେ ଲାଗୁ କରାଯାଇଛି।
ଏହି ନିଷେଧାଦେଶର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା, ୨୦୨୩ (BNSS) ର ଧାରା ୨୨୩ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।


