ଦକ୍ଷିଣାଞ୍ଚଳ ଅବକାରୀ ରେଞ୍ଜରେ ବଢୁଛି ନିଶା କାରବାର

ବ୍ରହ୍ମପୁର ଅଫିସ,୨୪ା୪: ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ରେଞ୍ଜରେ ଦିନକୁ ଦିନ ନିଶା କାରବାର ବଡୁଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନ୍‌ଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍‌-୨ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଅପେକ୍ଷା ଗତବର୍ଷ ଦୁଇ ଗୁଣା ଅଧିକ ଅବକାରୀ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୨୨ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ବିଭିନ୍ନ ମାମଲାରେ ମୋଟ ୫୬୨ଜଣ ଗିରଫ ହୋଇଥିଲେ, ଜବତ ହୋଇଥିବା ଅବକାରୀ ସାମଗ୍ରୀ ଓ ଯାନବାହନର ଆନୁମାନିକ ମୂଲ୍ୟ ମୋଟ ୬କୋଟି ୭୨ଲକ୍ଷ୧୩ହଜାର ୮୬୦ଟଙ୍କା ଥିଲା। ୨୦୨୨-୨୩ରେ ମୋଟ ୧୧୫୫ ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୦୬୫ଜଣ ଗିରଫ ହୋଇଥିଲେ ଏବଂ ଜବତ ହୋଇଥିବା ଅବକାରୀ ସାମଗ୍ରୀ ଓ ଯାନବାହନର ଆନୁମାନିକ ମୂଲ୍ୟ ୧୪କୋଟି ୧୨ଲକ୍ଷ ୯୦ହଜାର ୩୫୪ଟଙ୍କା ରହିଛି। ୨୦୨୨-୨୩ରେ ୬୯୭୮ କେଜି ଗଞ୍ଜେଇ ଓ ୫୪୦ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା। ସେହିପରି ଗତ ଆର୍ଥିକବର୍ଷରେ ରେକର୍ଡ଼ ପରିମାଣର ଭାଙ୍ଗ (୩୪୩୭) ଏବଂ ୮୦ହଜାର ପ୍ୟାକେଟ୍‌ ଗୁଟ୍‌ଖା ଜବତ କରିବାରେ ଉକ୍ତ ବିଭାଗ ସକ୍ଷମ ହୋଇଥିଲା। ସେହିପରି ୨୦୨୧-୨୨ ରେ ୮୩୦ ଲିଟର ଓ ୨୦୨୨-୨୩ ରେ ୧୧୩୯ ଲିଟର ନକଲି ମଦ ଜବତ ହୋଇଥିଲା। ସେହିପରି ୨୦୨୧-୨୨ ରେ ୨୧୧୩୫ ଲିଟର ରନ୍ଧା ମଦ ଜବତ ହୋଇଥିବା ବେଳେ ୨୦୨୨-୨୩ ରେ ପ୍ରାୟ ୨୯ହଜାର ଲିଟର ରନ୍ଧା ମଦ ଜବତ କରାଯାଇଥିଲା। ଗଞ୍ଜେଇଠାରୁ ଆରମ୍ଭ କରି ବିଭିନ୍ନ ଅବକାରୀ ଚୋରା ଚାଲାଣରେ ବ୍ୟବହାର ହୋଇଥିବା ୬ଟି ଟ୍ରକ୍‌, ୧୧ ଚାରିଚକିଆ ଯାନ, ୨୨ ଟାଟା ଏସିଇ/କାର୍‌, ୭ ଅଟୋ, ୨୮ ସ୍କୁଟି, ୯୭ଟି ବାଇକ୍‌, ୩ ସାଇକେଲକୁ ଅବକାରୀ ଟିମ୍‌ ଜବତ କରିଥିଲା।