ଚାରାରୋପଣ କାର୍ଯ୍ୟକ୍ରମକୁ ଜଗିଛି ଡ୍ରୋନ୍‌

ଭଞ୍ଜନଗର,୧୦ା୭(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲର ଖୋଲା ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଚାଲିଛି। ଉଭୟ ବନଖଣ୍ଡରେ ୨୨୩୦ ହେକ୍ଟର ଜଙ୍ଗଲରେ ୮ ଲକ୍ଷ ୨୫ ହଜାର ୫୫୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ହେବ। ଉକ୍ତ ଚାରାକୁ ବିଭାଗ ପକ୍ଷରୁ ୪ ବର୍ଷ ପର୍ଯ୍ୟନ୍ତ ତଦାରଖ କରାଯିବ। ଗଛକୁ ଜଗିବା ପାଇଁ ଦୁଇଜଣ ଅଗଷ୍ଟ ମାସରୁ ନିୟୋଜିତ ହେବେ। ଗଛ ବଡ ହେବା ପର୍ଯ୍ୟନ୍ତ ୪ ବର୍ଷ ଏହିଭଳି ତଦାରଖ କରାଯିବ। କାମ୍ପା ଯୋଜନାରେ ବର୍ତ୍ତମାନ ଚାରାରୋପଣ ହେଉଛି। ଏଥିସହ ନଦୀ ଏବଂ ନାଳ ଆଡିବନ୍ଧରେ ମଧ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରାରୋପଣ ହେବ। କାମ୍ପା ଯୋଜନାରେ ଚାରାରୋପଣ ସରିବା ପରେ ଆଡିବନ୍ଧରେ ଚାରାରୋପଣ ହେବ। ବିଗତ କିଛି ଦିନ ହେବ ଭଞ୍ଜନଗର ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଛି। କିନ୍ତୁ ଜୁନ ମାସ ଶେଷ ଆଡ଼କୁ ଜଙ୍ଗଲରେ ଲଗାଯାଇଥିବା ଚାରାଗୁଡିକର ଅବସ୍ଥା କେତେକ ସ୍ଥାନରେ ଭଲ ନାହିଁ। ବର୍ଷା ପାଣି ଅଭାବ ଥିବା ବେଳେ ଅନ୍ୟପଟେ ଟ୍ୟାଙ୍କର ଯୋଗେ ଜଙ୍ଗଲ ଭିତରେ ନେଇ ଗଛକୁ ପାଣି ଦେବା ସମ୍ଭବପର ହୋଇପାରିଲା ନାହିଁ। ତେଣୁ କେତେକ ସ୍ଥାନରେ ବର୍ଷା ପୂର୍ବରୁ ଲାଗିଥିବା ଗଛ ମରିଗଲାଣି। ତେଣୁ ଉକ୍ତ ସ୍ଥାନରେ ଅନ୍ୟ କୌଣସି ଯୋଜନାରେ ନୂଆ ଗଛ ଲଗାଇବା ଆବଶ୍ୟକତା ରହିଛି। ଅପରପକ୍ଷେ ଚାରାରୋପଣ କାର୍ଯ୍ୟକ୍ରମରେ ସ୍ବଚ୍ଛତା ଆଣିବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯାଉଛି। ଯେଉଁ ଜଙ୍ଗଲର ଖୋଲା ସ୍ଥାନରେ ଚାରାରୋପଣ ହେବ ସେଥିରେ ପ୍ରଥମେ ଡ୍ରୋନ ସହାୟତାରେ ଜିପିଏସ୍‌ ରିଡିଂ ନିଆଯାଉଛି। ଏହାପରେ ଗାତ ଖୋଳା ହେଉଛି। ପୁଣି ଜିପିଏସ ରିଡ଼ିଙ୍ଗ ନିଆଯାଉଛି । ଗଛ ଲଗାଇବା ପରେ ପୁଣି ଜିପିଏସ ରିଡ଼ିଙ୍ଗ ନିଆଯାଉଛି । ଏହିଭଳି ବାରମ୍ବାର ଡ୍ରୋନ ସହାୟତାରେ ଜିପିଏସ ରିଡିଂ ନିଆଯିବା ଦ୍ୱାରା ପୂର୍ବ ଅପେକ୍ଷା କାର୍ଯ୍ୟରେ ଅଧିକ ସଚ୍ଛତା ଆସୁଥିବା ଜଣାପଡିଛି।