ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ମ.ରାମପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ କଳାହାଣ୍ଡି ଜି ମ.ରାମପୁର ଗାଡ଼ି ଚାଳକ ମହାସଂଘ ପକ୍ଷରୁ ମ.ରାମପୁରଠାରେ ଗୁରୁବାର ରାସ୍ତା ଅବରୋଧ କରାଯାଇଥିଲା। ୧୧ ଦଫା ଦାବି ନେଇ ମ.ରାମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬ (କ) ଓ ଆର୍‌.ଆର୍‌.କେ ରାସ୍ତା ସଂଯୋଗୀକରଣ କରିଥିବା ଚାରିଛକଠାରେ ଗାଡ଼ିଚାଳକମାନେ ଆନ୍ଦୋଳନ ଜାରିରଖିଛନ୍ତି। ବ୍ଲକ ସଭାପତି ବିଶ୍ୱରନ ମାହାର, ସମ୍ପାଦକ ସ୍ବାଗତ ମହାନ୍ତି, ଉପସଭାପତି ତରୁଣ ହାତୀ, ସହସମ୍ପାଦକ ଶିବ ନାହାକ, କୋଷାଧ୍ୟକ୍ଷ ଭବାନୀ ବିଶି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗାଡ଼ିଚାଳକ ରାସ୍ତାରୋକୋ ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ ହେଉଥିବାବେଳେ ସ୍ଥାନୀୟ ପୋଲିସ ମୁତୟନ କରାଯାଇ ତୀକ୍ଷ୍ମଣ ନଜର ରଖାଯାଇଛି। ଖବରଲେଖା ସୁଦ୍ଧା ରାସ୍ତାରୋକୋ ସ୍ଥଳରେ କୌଣସି ରାଜନୈତିକ ଦଳର ନେତୃବୃନ୍ଦ ପହଞ୍ଚି ସଂଘ କର୍ମକର୍ତ୍ତାଙ୍କୁ ବୁଝାଇବା କିମ୍ବା ଦାବି ସମୂହ ପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଚାଳକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମ.ରାମପୁର ସହରର ଶାସକଦଳର ନେତା ପୁଷ୍ପେନ୍ଦ୍ର ସିଂହଦେଓ, ଜିଲା ପରିଷଦ ଅଧ୍ୟକ୍ଷ ଥିବାବେଳେ ତାଙ୍କ ଭାଇବୋହୂ ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ଏହା ବାଦ୍‌ ବିଭୂତି ଭୂଷଣ ମହାଖୁଡ ଜିଲା ଯୁବ ନେତା ତଥା ପିସିସି ସଭ୍ୟ ରହିଛନ୍ତି, ବିଶ୍ୱଜିତ୍‌ ଚାଟାର୍ଜୀ ଓ ସତ୍ୟଜିତ୍‌ ଚାଟାର୍ଜୀ ସିପିଆଇଏମ୍‌ର ଜିଲା କର୍ମକର୍ତ୍ତା ମଧ୍ୟ ମ.ରାମପୁର ଅଞ୍ଚଳର ଅଟନ୍ତି। ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀର ପରାଜିତ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କର ମଧ୍ୟ ମ.ରାମପୁର ଅଟେ। ଏହା ସତ୍ତ୍ୱେ କୌଣସି ନେତା ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ଏହି ରାସ୍ତା ଅବରୋଧ ଯୋଗୁ ବାହାର ଜିଲାରୁ ଆସୁଥିବା ଅର୍ଥନୈତିକ କାରବାରରେ ଲିପ୍ତ ଭାରୀଯାନ ପ୍ରଭାବିତ ହୋଇଛି।