ଡ୍ରାଇଭର ଗିରଫ, ମାଲିକ ଫେରାର

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ)/ଦିଗପହଣ୍ଡି (ଅଶେଷ ନାଥ ମିଶ୍ର),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ ଧକ୍କାରେ ଘରୋଇ ମିନିବସ୍‌ ଚୁରମାର ହୋଇଯାଇଥିଲା। ବାହାଘର ପରେ ଝିଅ ବିଦା କରି ମିନିବସ୍‌ରେ ଆସୁଥିବା ୧୧ କନ୍ୟାଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଓଏସ୍‌ଆରଟିସି ବସ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି। ଗାଡ଼ି ଚଳାଇବା ବେଳେ ଓଏସଆରଟିସି ବସ୍‌ ଚାଳକଙ୍କ ଆଖି ବନ୍ଦ ହୋଇଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ଘଟଣା ପରେ ଭୁବନେଶ୍ୱର ଚାଲିଯାଇଥିବା ଓଏସ୍‌ଆରଟିସି ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ କଟକ ବଡମ୍ବା ଥାନା ଅନ୍ତର୍ଗତ ଗୋପାଳପୁରର ମାନସ ପ୍ରଧାନ। ପୋଲିସ ନଂ ୨୩୨/୨୩ ରେ ମାମଲା ରୁଜୁ କରି ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗାଡ଼ି ଚଳାଇବା ବେଳେ ଉଭୟ ବସର ଚାଳକ ନିଶା ସେବନ କରି ନ ଥିବା ଜଣାପଡିଛି। ସେହିପରି ମିନିବସ୍‌ ମାଲିକ ବିନା ପରମିଟ ଓ ବୀମାରେ ରାଜପଥରେ ବସ୍‌ ଚଳାଉଥିଲେ ବୋଲି ସୂଚନା ମିଳିଛି। ମାଲିକ ଶେରଗଡର ପ୍ରଦୀପ କୁମାର ପାଣି ଘଟଣା ପରେ ଫେରାର ହୋଇଯାଇଛନ୍ତି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।