ପାନୀୟ ଜଳ ସମସ୍ୟା ନେଇ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ପୁରୁଷୋତ୍ତମପୁର,୨୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଓ୍ବାର୍ଡ ନଂ ୯ ରଥସାହି, ସୁନାରିତୋଟାସାହି, ଗୋପାଳ ବନ୍ଧ ସାହିକୁ ଦୀର୍ଘଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗୀୟ ପାଇପରେ ପାଣି ଆସୁନାହିଁ। ଯାହା ପାଣି ଆସୁଛି ତାହା ମାଟିଆ, ଗୋଳିଆ, କଳା ରଙ୍ଗର ଦୂଷିତ ଅଟେ। ଯାହାକି ପିଇବା ଲାଗି ସମ୍ପୂର୍ଣ୍ଣ ରୂପେ ଅନୁପଯୁକ୍ତ। ଏହାକୁ ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗ ଓ ଏନ୍‌ଏସି ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଯାହାକୁ ନେଇ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେବାରେ ଲାଗିଛନ୍ତି। ଏହାକୁ ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଗୁରୁବାର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।