ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା

ମୁନିଗୁଡ଼ା,୯ା୧୧(ଡି.ଏନ୍‌.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବାଦ ସ୍ବରୁପ ସୋମବାର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ପାତ୍ରଗୁଡା ଗ୍ରାମରେ।
ପାତ୍ରଗୁଡା ଗ୍ରାମବାସୀଙ୍କ ପାଇଁ ଭୁରୁସିଖୁମାଠାରେ ତିଆରି ହୋଇଛି ପାନୀୟଜଳ ପ୍ରକଳ୍ପ। ଯେଉଁଥିରେ ଓଭରହେଡ୍‌ ଟାଙ୍କି ଅଛି କିନ୍ତୁ ହରିଜନ ସାହିବାସିନ୍ଦା ପାନୀୟଜଳରୁ ବଞ୍ଚିତ ହେଉଛନ୍ତି। ଗତ ୬ ବର୍ଷ ହେବ ହରିଜନ ସାହିରେ ଠିକ୍‌ ଭାବେ ପାଣି ଆସୁନି। ଏଥିସହ ଦୁଇଟି ନଳକୂପ ଅଛି, ତାହା ବି ଖରାପ ହୋଇରହିଛି। ଯେଉଁ ପାଣି ଆସୁଛି ତାହା ଗୋଳିଆ। ଏହାକୁ ପିଇ ନାନା ରୋଗରେ ସଂକ୍ରମିତ ହେଉଛନ୍ତି ସ୍ଥାନୀୟ ଲୋକେ। ସାହିକୁ ଯେପର୍ଯ୍ୟନ୍ତ ପାଣି ଆସିବନି ସେପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ଏବଂ ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମର ଓ୍ବାର୍ଡମେମ୍ବର ଲଳିତା ହିଆଲ, ଗ୍ରାମବାସୀ ପ୍ରଦୀପ ହିଆଲ, କାଳିମତି କୁସୁଲିଆ, ମାଣିକ ଟାକ୍ରି, ପବିତ୍ର ବାଗ, ଗୁରସ୍ତି ନାଗ, ଅସ୍ମିତା ହିଆଲ, ତିଲଇ ହିଆଲ ପ୍ରମୁଖ ଚେତାବନୀ ଦେଇଛନ୍ତି।