ହିଞ୍ଜିଳିକାଟୁରେ ପିଇବା ପାଣି ସମସ୍ୟା

ହିଞ୍ଜିଳିକାଟୁ, ୩।୧୦: ( ଦ୍ବିତୀକୃଷ୍ଣ ପଣ୍ଡା) ହିଞ୍ଜିଳିକାଟୁ ପୌରାଞ୍ଚଳରେ କିଛି ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣି ଯୋଗାଣରେ ସମସ୍ୟା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ସହରର ବହୁ ଅଞ୍ଚଳକୁ ୨୪ ଘଣ୍ଟିଆ ପାଇପ ଜଳ ଯୋଗାଣ ଏବେ ମଧ୍ୟ କାଗଜ କଲମରେ ସୀମିତ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ଯୋଗାଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପ ହୋଇଥିଲେ ସୁଦ୍ଧା ପରିଚାଳନା ଗତ ତୃଟି କାରଣରୁ ସହରର ବହୁ ଅଞ୍ଚଳର ଲୋକ ଠିକ୍‌ରେ ପାଣି ପାଉନାହାନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାମରେ ଅନେକ ସମୟରେ କଳା ରଙ୍ଗ ଓ ମାଟି ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ ହେଉଛି। ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ଯୋଗାଣ ପାଇପ ଓ ସଂଯୋଗ ପାଇପ ଗୁଡିକ ଫାଟି ରାସ୍ତା ଉପରେ ପାଣି ବୋହିଯାଉଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ହେଉନାହିଁ। ଓ୍ବାର୍ଡ ୫ରେ ଗତ ମଙ୍ଗଳବାର ଦିନ ପିଇବା ପାଣି ଯୋଗାଣରେ ସମସ୍ୟା କାରଣରୁ ସାହି ବାସିନ୍ଦା ଦୂର ଦୂରଦୂରାନ୍ତରୁ ପାଣି ବୋହି ନେଉଥିବା ଦେଖାଯାଇଛି। ଅନ୍ୟ ପକ୍ଷରେ ଓ୍ବାର୍ଡ ନଂ ୧୦ ରେଗିଡି ସାହି, ଓ୍ବାର୍ଡ ୧୧ ଥାନା ତୋଟା ସାହି, ଓ୍ବାର୍ଡ ୧୨ ଓ ୧୩ ର ବିଭିନ୍ନ ଅଞ୍ଚଳ ରେ ଆବଶ୍ୟକ ମୁତାବକ ପାଣି ଯୋଗାଣ ହେଉନଥିବାରୁ ସମସ୍ୟା ଓ ଯୋଗାଣ ପାଇପ ଫାଟିଥିବା ଅଭିଯୋଗ ହୋଇଛି।
ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀଧର ଦାସଙ୍କ ସହ ଯୋଗାଯୋଗ କରିବା ପରେ ମରାମତି କାମ ଚାଲିଥିବାରୁ କିଛି ଅଞ୍ଚଳକୁ ମଙ୍ଗଳବାର ପାଣି ଯୋଗାଣ ବାଧା ହୋଇଛି ଓ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି। ତେବେ ସହରରେ ୨୪ ଘଣ୍ଟିଆ ପାଇପ ଲାଇନ ଯୋଗେ ଜଳ ଯୋଗାଣ ନେଇ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ମିଳୁନାହିଁ।