ତୈଳ ଉତ୍ତୋଳନ ପାଇଁ ପୋଖରୀ ଖନନ

ଗୋପ,୧୯ା୯(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକର ଦୁଇଟି ପଞ୍ଚାୟତରେ ପେଟ୍ରୋଲ, ଡିଜେଲ ଉତ୍ତୋଳନକୁ ନେଇ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯାୟ କାର୍ଯ୍ୟ ଆରମ୍ଭ ହୋଇଛି। ଗୋପ ପଞ୍ଚାୟତର କୁଶୁପୁରୁ ନିକଟରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଚାଷୀଙ୍କଠାରୁ ଅଧିଗ୍ରହଣ ହୋଇଥିବା ୮ଏକର ଜମିରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମେ ୩ଟି ଅସ୍ଥାୟୀ ପୋଖରୀ ଓ ରାସ୍ତା ନିର୍ମାଣ କରାଯାଇଛି। ସୂଚନାଥାଉ କି, ୨୦୨୦ ମସିହାରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତର କେତେକ ଚାଷ ଜମିରେ ବୋରିଙ୍ଗ କାର୍ଯ୍ୟ କରାଯିବା ପରେ ଗୋପ ପଞ୍ଚାୟତର କୁଶୁପୁରୁ, ମହଲପଡା ପଞ୍ଚାୟତର ଚିତ୍ରା ଗ୍ରାମ ନିକଟରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲର ସନ୍ଧାନ ମିଳିବା ପରେ କମ୍ପାନୀ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ସାଟେଲାଇଟ ସର୍ଭେ ଓ ପରୀକ୍ଷା କରାଯିବା ସହ ଉକ୍ତ ଅଞ୍ଚଳରେ ଥିବା ଚାଷଜମି ମାଲିକଙ୍କ ସହ ଆଲୋଚନା କରାଯାଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କୁଶୁପୁରୁ ଠାରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ୮ ଏକର ଚିହ୍ନଟ ଜମି ମାଲିକଙ୍କୁ ଡକାଯାଇ ୩ ବର୍ଷ ପାଇଁ ୩୭ଜଣ ଚାଷୀଙ୍କୁ ୯୭ ଲକ୍ଷ ଟଙ୍କା ଚେକ୍‌ ମାଧ୍ୟମରେ ଏଗ୍ରିମେଣ୍ଟ ଚୁକ୍ତି ଅନୁସାରେ ଦିଆଯାଇଥିଲା। ହେଲେ ଚିତ୍ରା ଗ୍ରାମରେ ଚିହ୍ନଟ ଜମିକୁ ପରେ କମ୍ପାନୀ କର୍ତ୍ତୃପକ୍ଷ ଚୁକ୍ତିନାମା ଅନୁଯାୟୀ ନେବେ ବୋଲି ଜଣାପଡିଥିବା ବେଳେ ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଅଏଲ ଇଣ୍ତିଆ କମ୍ପାନୀ କର୍ତ୍ତୃପକ୍ଷ ବି.ଏନ୍‌. ସାହୁ କୁହନ୍ତି, ଚାଷୀଙ୍କ ଠାରୁ ଜମି ନିଆଯିବା ପରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ କେବଳ ଆରମ୍ଭ ହୋଇଛି। କିଛି ଦିନ ପରେ ସମସ୍ତ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ ବୋଲି ସେ କହିଛନ୍ତି।