ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍ ପ୍ରଶାସନର ବ୍ୟବହାର ଓ ସେମାନଙ୍କ ସହ ବିତିଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ପଞ୍ଜାବର ହୋସିଆରପୁର ଜିଲା ବାସିନ୍ଦା ହରବିନ୍ଦର ସିଂ କହିଛନ୍ତି, ଆମେରିକାର ଜଣେ ଏଜେଣ୍ଟ ସେଠାରେ ରହି କାର୍ଯ୍ୟ କରିବା ପାଇଁ ଭିଜା କରାଇଦେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ହରବିନ୍ଦର ତାଙ୍କୁ ୪୨ ଲକ୍ଷ ଟଙ୍କା ଦେଇଥିଲେ। ଶେଷ ସମୟରେ ତାଙ୍କୁ ଭିଜା ଦେବାକୁ ସେ ମନା କରିଦେଇଥିଲେ। ତାଙ୍କୁ ମେକ୍ସିକୋ ସୀମା ଦେଇ ଚାଲି ଚାଲି ଯିବାକୁ କୁହାଯାଇଥିଲା। ବାଟରେ ଜଣେ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥାଏ। ପାନାମା ଜଙ୍ଗଲରେ ପହଞ୍ଚତ୍ଲା ବେଳକୁ ଖାଇବାକୁ କିଛି ନ ଥିଲା। ସେହିପରି ଜଳନ୍ଧର ଜିଲା ଦାରାପୁର ଗ୍ରାମର ସୁଖପାଲ ସିଂ କହିଛନ୍ତି, ଜଳପଥରେ ୧୫ ଘଣ୍ଟା ଯାତ୍ରା କରିବା ପରେ ସେମାନଙ୍କୁ ପାର୍ବତ୍ୟ ଅଞ୍ଚଳରେ ୪୦ରୁ ୪୫ କି.ମି. ଚାଲିବାକୁ କୁହାଯାଇଥିଲା। ରାସ୍ତାରେ କେହି ଆହତ ହେଲେ ମୃତ୍ୟୁ ନିଶ୍ଚିତ। ତାଙ୍କୁ ମେକ୍ସିକୋରେ ଗିରଫ କରାଯାଇଥିଲା। ଆମକୁ ଅନ୍ଧାର କୋଠରିରେ ୧୪ ଦିନ ରହିବାକୁ ଦିଆଯାଇଥିଲା। ସେହି ସମୟରେ ଆମେ ସୂର୍ଯ୍ୟାଲୋକ ଦେଖି ନ ଥିଲୁ। ଅନେକ ହଜାର ପଞ୍ଜାବୀ ଯୁବକ, ପରିବାର ଓ ପିଲା ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ଭୁଲ୍ ବାଟ ଦେଇ ବିଦେଶକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଆମେରିକା ସେନା ବିମାନରେ ବୁଧବାର ଅମୃତସର ବିମାନବନ୍ଦରରେ ପହଞ୍ଚତ୍ଥିବା ୧୦୪ ବେଆଇନ ପ୍ରବାସୀଙ୍କ ମଧ୍ୟରେ ୩୩ ଜଣ ଲେଖାଏ ହରିୟାଣା ଓ ଗୁଜରାଟ ବାସିନ୍ଦା ରହିଛନ୍ତି। ପଞ୍ଜାବର ୩୦, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ର ୨ ଜଣ ରହିଥିବା ଜଣାପଡ଼ିଛି। ୧୯ ମହିଳା ଓ ୩ ନାବାଳକଙ୍କ ମଧ୍ୟରେ ଜଣେ ୪ ବର୍ଷର ପୁଅ, ୨ ଝିଅ (୫-୭ ବର୍ଷୀୟା) ରହିଛନ୍ତି।


