ଅବଧି ବଢ଼ାଇ ଛୁଟିରେ ଡାକ୍ତର ସୁମିତ

ଆସିକା,୧୦ା୧(ଡି.ଏନ୍‌.ଏ.): ଡାକ୍ତର ସୁମିତ ସାହୁ ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ଧରୁନି। ଜିଲା ଜଜ୍‌ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀ ଗତ ୬ ତାରିଖରୁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିଥିଲେ ମଧ୍ୟ ସ୍ବାମୀ ସୁମିତ ଘରକୁ ଫେରିନାହାନ୍ତି। ସେ ତାଙ୍କ କାର୍ଯ୍ୟସ୍ଥଳ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଡିସେମ୍ବର ୧୦ ତାରିଖ ଠାରୁ ଶାରୀରିକ ଅସୁସ୍ଥତା ଦର୍ଶାଇ ପର୍ଯ୍ୟାୟକ୍ରମେ ଛୁଟିରେ ରହିଥିଲେ। ଗତ ଶୁକ୍ରବାର ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। ତେବେ ସେହିଦିନ ସୁମିତ ଆଉ ୧୫ ଦିନ ପାଇଁ ଛୁଟି ଅବଧିକୁ ବଢାଇଛନ୍ତି। ଏ ନେଇ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଏମ.ଭି. କେ ଅଶୋକଙ୍କୁ ପଚାରିବାରେ ଗତ ଶୁକ୍ରବାର ଡାକ୍ତର ସୁମିତ ଇ-ମେଲ ଯୋଗେ ଆଉ ୧୫ ଦିନ ଅର୍ଥାତ୍‌ ଆସନ୍ତା ୨୧ ତାରିଖଯାଏ ଛୁଟି ଆବେଦନ କରିଥିବା କହିଛନ୍ତି। ଉକ୍ତ ଆବେଦନକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ ନିକଟକୁ ପଠାଇ ଦିଆଯାଇଥିବା ଡା. ଅଶୋକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୩ ତାରିଖ ରାତିରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ଏକାଠି ରହିବା ପାଇଁ ସୁମିତ ଓ ତପସ୍ବିନୀ ଆସିକା ଆସିଥିଲେ ା ପୋଲିସ ସୁରକ୍ଷା ମଧ୍ୟରେ ଏମାନେ ଚିନିଶିଳ୍ପ ଅତିଥି ଭବନରେ ରହିଥିବା ବେଳେ ସୁମିତ ରୀତିମତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ କର୍ତ୍ତବ୍ୟ ସମ୍ପାଦନ କରି ଫେରୁଥିଲେ। ୭ ଦିନ ଅବଧି ସରିବାରେ ଡିସେମ୍ବର ୧୦ ତାରିଖରୁ ସୁମିତ ଆଉ ଅତିଥି ଭବନକୁ ଫେରି ନ ଥିଲେ। ସେବେଠାରୁ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ପର୍ଯ୍ୟାୟକ୍ରମେ ଛୁଟି ଆବେଦନ କରୁଛନ୍ତି।