ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡା. ଶଙ୍କର ରାମଚନ୍ଦାନୀ ପୁଣିଥରେ ମାନବିକତାର ଏକ ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି। ବରଗଡ଼ ଜିଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଜୁବାଖୋଲ ଗ୍ରାମରେ ହଠାତ୍ ପହଞ୍ଚିଥିଲେ ଡାକ୍ତର ରାମଚନ୍ଦାନୀ। ବଣପାହାଡ଼ ଘେରା ଏହି ଅଞ୍ଚଳରେ ତାଙ୍କୁ ଦେଖି ଗ୍ରାମବାସୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା। ବିଲରେ କାମ କରୁଥିବା ଶ୍ରମିକମାନଙ୍କୁ ଡାକି ନିଜ କାରରେ ଏକ ଅସ୍ଥାୟୀ କ୍ଲିନିକ ଖେଲି ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ। ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ମାଗଣାରେ ସ୍ପାଇରୋମେଟ୍ରି ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଓ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ। ପରେ ଗ୍ରାମ ମଧ୍ୟରେ ଏକ ଖଟିଆରେ ବସି ପ୍ରାୟ ୨୫ରୁ ୩୦ ଜଣ ରୋଗୀଙ୍କୁ ଚିକିତ୍ସା କରି ମାଗଣା ଔଷଧ ବଣ୍ଟନ କରିଥିଲେ। ଚିକିତ୍ସା ସମୟରେ ତାଙ୍କର ସରଳତା, ଆନ୍ତରିକତା ଓ ସେବାଭାବ ସମସ୍ତଙ୍କ ହୃଦୟ ଜିଣି ନେଇଥିଲା। ମାତ୍ର ଏକ ଟଙ୍କାରେ ଚିକିତ୍ସା ସେବା ଯୋଗାଇ ଲକ୍ଷ ଲକ୍ଷ ରୋଗୀଙ୍କ ଆଶୀର୍ବାଦ ଲାଭ କରିଥିବା ଡାକ୍ତର ରାମଚନ୍ଦାନିଙ୍କ ଏହି ନିରବ ସେବା ତାଙ୍କୁ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଜଣେ ପ୍ରକୃତ ଡାକ୍ତରଙ୍କ ପାଇଁ ସେବା ହିଁ ସର୍ବୋଚ୍ଚ ଧର୍ମ। ବିଦାୟ ବେଳେ ଡାକ୍ତର ରାମଚନ୍ଦାନି ପୁଣିଥରେ ଜୁବାଖୋଲ ଗ୍ରାମକୁ ଆସି ଲୋକଙ୍କୁ ନିଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।