ତଳମୁହାଁ ଅର୍ଥନୀତି: ମାନ୍ଦାବସ୍ଥା ଜଳଜଳ

ନୂଆଦିଲ୍ଲୀ,୧୨।୧୦: କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ବହୁ ତଳକୁ ଟାଣିନେବା ପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଓ ଅନ୍ୟ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକରେ ଲାଗିରହିଥିବା ସଂଘର୍ଷ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପୃଷ୍ଠଭୂମିରେ ଭାରତ ସମେତ ବିଭିନ୍ନ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଭାରତରେ ଖାଦ୍ୟଶସ୍ୟ, ଔଷଧ, ଫଳମୂଳ, ପନିପରିବା ଭଳି ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିଚାଲିଛି। ଖାଇବା ତେଲଠୁ ନେଇ ଇନ୍ଧନ ତୈଳ, ଏଲ୍‌ପିଜି-ପିଏନ୍‌ଜି-ସିଏନ୍‌ଜି ସବୁକିଛି ମହଙ୍ଗା ହୋଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ନିଆଯାଉଥିବା ରେପୋ ରେଟ୍‌ ବୃଦ୍ଧି ଭଳି ପଦକ୍ଷେପର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ଓଲଟା ଗାଡ଼ି, ଘର ଓ ଅନ୍ୟ ଉପକରଣ ପାଇଁ ଋଣ ନେଇଥିବା ଲୋକଙ୍କ ଉପରେ ଅଧିକ ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟଲମେଣ୍ଟ (ଇଏମ୍‌ଆଇ) ବା ମାସିକ କିସ୍ତି ବୋଝ ଉପରେ ନଳିତାବିଡ଼ା ସାଜୁଛି। ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ସୁଧହାର ବୃଦ୍ଧି ଏକ ପ୍ରକୃଷ୍ଟ ଉପାୟ ନୁହେଁ ବୋଲି ଇନ୍‌ଫ୍ଲେଶନ୍‌ ରେଟ୍‌, କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ), ବେକାରି ହାର, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଡାଟା ଭଳି ସୂଚକାଙ୍କ ଦର୍ଶାଉଛି। ରେପୋ ରେଟ୍‌ ବଢ଼ାଇଚାଲିବା ଦରଦାମ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ନୁହେଁ, ବରଂ ଏଥିଯୋଗୁ ଆର୍ଥିକ ଅଚଳାବସ୍ଥା ଉପୁଜିବା ନେଇ ଅନେକ ଅର୍ଥନୀତିଜ୍ଞ ଆଶଙ୍କା ବ୍ୟକ୍ତ କଲେଣି। ସେହିପରି ବିଶ୍ୱବ୍ୟାଙ୍କ ସମେତ ମୁଡିଜ୍‌, ମୋର୍ଗାନ୍‌ ଷ୍ଟାନ୍‌ଲି ଭଳି ଅନେକ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁମାନକୁ ଖସାଇ ୬.୫%ରେ ସୀମିତ ରଖିଛନ୍ତି। ପୂର୍ବରୁ ଏହି ଅଭିବୃଦ୍ଧି ହାର ୭.୫% ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଙ୍ଗଳବାର ଭାରତର ଅଭିବୃଦ୍ଧି ୬.୮%କୁ ହ୍ରାସ କରିଛି, ଯାହାକି ୭.୪% ରହିବ ବୋଲି ଗତ ଜୁଲାଇରେ ପୂର୍ବାନୁମାନ କରିଥିଲା।
ଭାରତର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ (ଫରେକ୍ସ ରିଜର୍ଭ) ସେପ୍ଟେମ୍ବର ୩୦ରେ ୫୩୨.୬୬ ବିଲିୟନ୍‌ ଡଲାରକୁ ଖସିଥିବା ନେଇ ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି, ଯାହାକି ୨୦୨୦ ଜୁଲାଇ ପରେ ସର୍ବନିମ୍ନ ସ୍ତର। ଡଲାର ଇଣ୍ଡେକ୍ସ ବଢ଼ିଚାଲିଥିବାରୁ ଆମେରିକୀୟ ଡଲାର ଶକ୍ତିଶାଳୀ ହେବାରେ ଲାଗିଛି। ଅପରପକ୍ଷେ ଏହାର ବିପରୀତ ପ୍ରଭାବ ଭାରତୀୟ ଟଙ୍କା ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ଶୁକ୍ରବାର ଡଲାର ସୂଚକାଙ୍କ ୧୧୨.୬୩୫ ଥିବାବେଳେ ସୋମବାର ଟ୍ରେଡିଂ ସେସନ୍‌ରେ ଏହା ଆହୁରି ମଜଭୁତ ହୋଇ ୧୧୩ ଉପରକୁ ଉଠିଥିଲା। ଫଳରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୩ ଟଙ୍କା ପାଖକୁ ଗଲାଣି। ଟଙ୍କା ପ୍ରତିଦିନ ସର୍ବକାଳୀନ ରେକର୍ଡ ଭାଙ୍ଗି ସର୍ବନିମ୍ନ ଦୁର୍ବଳ ସ୍ତରକୁ ଯିବା ଭାରତୀୟ ଅର୍ଥନୀତି ପାଇଁ ଉଦ୍‌ବେଗଜନକ ବିଷୟ ପାଲଟିଛି। କିନ୍ତୁ ଅନ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତୀୟ ଅର୍ଥନୀତି ଅଧିକ ମଜଭୁତ ଏବଂ ପ୍ରତିକୂଳ ଆହ୍ବାନଗୁଡ଼ିକୁ ସାମ୍ନା କରିବା ପାଇଁ ଏହାର ସାମର୍ଥ୍ୟ ଅଧିକ ବୋଲି ସରକାର କହିଚାଲିଛନ୍ତି। ତେଣୁ ଏହି ବୃହତ୍‌ ସଙ୍କଟକୁ ନେଇ କେନ୍ଦ୍ରର ମୁଣ୍ଡବ୍ୟଥା ହେଉଥିବା ଭଳି ମନେହେଉନାହିଁ। ଏଭଳି ସ୍ଥିତିରେ ଭୁଶୁଡ଼ିପଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ କୌଣସି ପ୍ରଭାବଶାଳୀ ନୀତି ପ୍ରଣୟନ କରାଯାଉ ନ ଥିବାରୁ ଆଗକୁ ମାନ୍ଦାବସ୍ଥା ମାଡ଼ିଆସୁଥିବା ଜଳଜଳ ଦେଖାଗଲାଣି।
ଆଇଏମ୍‌ଏଫ୍‌ର ପରିସଂଖ୍ୟାନକୁ ଭିତ୍ତିକରି ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି ଭାବେ ଉଭା ହୋଇଥିବା କେତେକ ଗଣମାଧ୍ୟମଗତ ସେପ୍ଟେମ୍ବର ମଧ୍ୟଭାଗରେ ଦର୍ଶାଇଥିଲେ। ଆମେରିକା, ଚାଇନା, ଜାପାନ ଓ ଜର୍ମାନୀ ପରେ ପଞ୍ଚମରେ ବ୍ରିଟେନ ଥିବାବେଳେ ଭାରତ ଏହି ସ୍ଥାନକୁ ଉନ୍ନୀତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ, ଭାରତ ୧ ଦଶନ୍ଧି ମଧ୍ୟରେ ଏକାଦଶ ସ୍ଥାନରୁ ପଞ୍ଚମ ପାହ୍ୟାକୁ ଉଠିବା କମ୍‌ କଥା ନୁହେଁ। ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ବଡ଼ ସଫଳତା। ଅନ୍ୟ କେତେଜଣ କେନ୍ଦ୍ରମନ୍ତ୍ରୀ ଓ ଭାଜପା ନେତାଙ୍କ ମତରେ ଭାରତ ଖୁବ୍‌ଶୀଘ୍ର ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବାକୁ ଯାଉଛି। ସମ୍ଭବତଃ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନକୁ ଦେଖି ଏପରି ମନ୍ତବ୍ୟ ଦେଇଥିଲେ। କାରଣ ବାସ୍ତବ ସ୍ଥିତି ଉପରେ ନଜର ପକାଇଲେ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଗତ ମାସରେ ଦେଶରେ ବେକାରି ହାର ୮.୨% ରହିଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ଦର୍ଶାଇଥିଲା, ଯାହାକି ୨୦୧୪ରେ ୫.୪୪%ରେ ସୀମିତ ଥିଲା। ୨୦୧୪ ପୂର୍ବରୁ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ କେନ୍ଦ୍ରରେ ଭାଜପା କ୍ଷମତାସୀନ ହେଲେ ୧ କୋଟି ଯୁବତୀଯୁବକଙ୍କୁ ଚାକିରି ଦିଆଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ୨୦୧୯ ନିର୍ବାଚନ ବେଳେ ସେ ନିଯୁକ୍ତି ପ୍ରତିଶ୍ରୁତି ସଂଖ୍ୟାକୁ ଅଢ଼େଇ କୋଟିକୁ ବଢ଼ାଇଦେଇଥିଲେ। ତାଙ୍କ ଶାସନ କାଳର ସାଢ଼େ ୮ ବର୍ଷ ମଧ୍ୟରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି ସେହି ତଥ୍ୟ ସରକାର ଦେଇପାରୁ ନ ଥିବାବେଳେ ୨୦୨୩ ସୁଦ୍ଧା ୧୦ ଲକ୍ଷ ଆଶାୟୀଙ୍କୁ କର୍ମନିଯୁକ୍ତି ପ୍ରଦାନ ନେଇ ନୂଆ ଘୋଷଣା କରିଛନ୍ତି।
ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଆର୍‌ବିଆଇ ପକ୍ଷରୁ ସେପ୍ଟେମ୍ବର ୩୦ରେ ପୁଣିଥରେ .୫୦% ରେପୋ ରେଟ୍‌ ବଢ଼ାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକରେ ୫ ମାସ ମଧ୍ୟରେ କ୍ରମାଗତ ଚତୁର୍ଥ ଥର ପାଇଁ ସୁଧହାର ୫.୪୦%ରୁ ୫.୯୦%କୁ ବୃଦ୍ଧି କରାଯାଇଛି। ୨୦୧୯ ଏପ୍ରିଲ ପରେ ଏହା ହେଉଛି ସର୍ବୋଚ୍ଚ ସୁଧହାର। ସେହିପରି ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୮% ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଗତ ଏପ୍ରିଲରେ ଆର୍‌ବିଆଇ ଏହି ଅନୁମାନକୁ ୭.୨%କୁ ଖସାଇ ଦେଇଥିଲା। ବିଶ୍ୱ ବଜାରର ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ଆର୍‌ବିଆଇ ଏହାକୁ ବର୍ତ୍ତମାନ ୭%ରେ ସୀମିତ ରଖିଛି। ଗତ ଗୁରୁବାର ବିଶ୍ୱବ୍ୟାଙ୍କ ଏହି ହାରକୁ ୬.୫%କୁ ଖସାଇ ଦେଇଛି। ଏଥିସହ ମହାମାରୀ ଯୋଗୁ ୫.୬ କୋଟି ଭାରତୀୟ ଅତି ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥିବା ଦର୍ଶାଇଛି। ଅନ୍ୟ କେତେଜଣ ଅର୍ଥନୀତିଜ୍ଞଙ୍କ ମତରେ ମହାମାରୀଜନିତ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଭାରତୀୟଙ୍କ ପ୍ରକୃତ ସଂଖ୍ୟା ୨୭ରୁ ୩୦ କୋଟି ହେବ।
୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାକୁ ପୂର୍ବରୁ ସରକାର ବାରମ୍ବାର ଦୋହରାଉଥିଲେ। ୨୦୨୨ ଶେଷ ହୋଇ ୨୦୨୩ ଆସିବାକୁ ଯାଉଛି, ସରକାର ଦୁଇଗୁଣା ଆୟ କଥା ଆଉ କହୁନାହାନ୍ତି। ଦେଶରେ ଚାଷୀ ଆମତ୍ହତ୍ୟା ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ କେବଳ ବିକାଶର ପରିସଂଖ୍ୟାନକୁ ବଢ଼ାଇ ଚଢ଼ାଇ ଭାଷଣ ଦେଉଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ତହସିଲ ଅଫିସଠୁ ନେଇ ସେନା ପର୍ଯ୍ୟନ୍ତ ଅନେକ ଲକ୍ଷ ପଦବୀ ଖାଲିପଡ଼ିଛି। ସଶସ୍ତ୍ର ବଳରେ ‘ଅଗ୍ନିପଥ’ ଭଳି ଠିକା ନିଯୁକ୍ତି ଦେଇ ଆର୍ଥିକ ବୋଝ କମାଇବା ପାଇଁ ଉଦ୍ୟମ ଚାଲିଛି। ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ କ୍ରମାଗତ ପୁଞ୍ଜି ପ୍ରତ୍ୟାହାର ସହ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ ପାଇଁ ଚାଲିଥିବା ପ୍ରୟାସ ବାସ୍ତବ ସ୍ଥିତି ଉପରୁ ପରଦା ହଟାଇଛି। ଏଭଳି ସମୟରେ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇଆଣିବା ଲାଗି କେନ୍ଦ୍ର କିମ୍ବା ଏହାର ସର୍ବୋଚ୍ଚ ପଲିସି ମ୍ୟାକିଂ ଥିଙ୍କଟ୍ୟାଙ୍କ ନୀତି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ ପାଖରେ କୌଣସି ନୀତି ନାହିଁ। ଏହା ମଧ୍ୟରେ ଆର୍ଥିକ ମହାସଂଘାତର ପଦଧ୍ୱନି ଆଉ ଏକ ମାନ୍ଦାବସ୍ଥାର ସ୍ପଷ୍ଟ ସଙ୍କେତ ଦେଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri