ନିଜସ୍ବ କୋଠା ନାହିଁ, ଗ୍ରାହକ ହଇରାଣ

ଲାଠୋର, ୧୯ା୬(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ। ଏଥିପାଇଁ ଗ୍ରାହକମାନେ ଦାବି କରି ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଲାଠୋର ଗ୍ରାମରେ ଗତ ୩୦ ଅଗଷ୍ଟ ୧୯୭୨ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କର ଏକ ଶାଖା ଖୋଲା ଯାଇଥିଲା। ଲାଠୋର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକଡ ସେବା ସମବାୟ ସମିତି ନିକଟ ସ୍ବର୍ଗତ ତେଜୁରାମ ଅଗ୍ରୱାଲଙ୍କ ଏକ ଘର ଭଡା ସୂତ୍ରରେ ନିଆଯାଇ ଆରମ୍ଭ ହୋଇଥିବା ବ୍ୟାଙ୍କ ଏବେ ବି ସେହିଠାରେ ଚାଲିଛି। ଏକ ଲମ୍ବା ହଲରେ ଶାଖା ପରିଚାଳକଙ୍କ ଚ୍ୟାମ୍ବର, କ୍ୟାଶ କାଉଣ୍ଟର ଓ ଅନ୍ୟ କର୍ମଚାରୀ ବସି କାମ କରୁଛନ୍ତି l ଗ୍ରାହକମାନେ ଟଙ୍କା ଜମା ଉଠାଣ ଏବଂ ଅନ୍ୟାନ୍ୟ କାମରେ ବ୍ୟଙ୍କକୁ ଅସିଲେ ସେମାନଙ୍କ ବସିବା ପାଇଁ ଚୌକିର ବ୍ୟବସ୍ଥା ନାହିଁ। ବ୍ୟାଙ୍କରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଖପ୍ରାଖୋଲ ବ୍ଲକରେ କେବଳ ଗୋଟିଏ ମାତ୍ର ସେଣ୍ଟ୍ରାଲ ବ୍ୟାଙ୍କ ରହିଥିବା ହେତୁ ଏଠାରେ ପ୍ରତିଦିନ ପ୍ରବଳ ଭିଡ଼ ଜମିଥାଏ। ଭିଡ଼ ଯୋଗୁଁ ଗ୍ରାହକମାନେ ବ୍ୟାଙ୍କ ଭିତରେ ବସିବା ପାଇଁ ଯାଗା ନପାଇ ପାଖ ଆଖରେ ରହିଥିବା ବିଭିନ୍ନ ଦୋକାନରେ ଅପେକ୍ଷା କରିଥାନ୍ତି। ଗତ ମେ ୨୯ତାରିଖରେ କରୁଆଝର ଗ୍ରାମର ନାରାୟଣ ଶବର(୭୬) ବ୍ୟାଙ୍କକୁ ବାର୍ଦ୍ଧକ୍ୟ ଭତ୍ତା ଉଠାଣ ପାଇଁ ଆସି ବ୍ୟାଙ୍କରେ ଅପେକ୍ଷା କରିବାକୁ ଜାଗା ନପାଇ ଏକ ଦୋକାନ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ। ଏହିପରି ବିଭିନ୍ନ ସମୟରେ ଗ୍ରାହକ ବ୍ୟାଙ୍କ ଆସି ସମସ୍ୟା ଭୋଗୁଛନ୍ତି l ଏନେଇ ଶାଖା ପରିଚାଳକ ଆଶୁତୋଷ ଡୁଙ୍ଗଡୁଙ୍ଗଙ୍କୁ ପଚାରିବାରୁ ବ୍ୟାଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ହେବ। ଏଥିସହ ଅନ୍ୟାନ୍ୟ ସୁବିଧା ପାଇଁ ଉପରସ୍ଥ ଅଧିକାରୀଙ୍କୁ ସୁପାରିଶ କରାଯାଇଛି ବୋଲି କହିଥିଲେ l