ମହାକାଳପଡ଼ା, ୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଉପକୂଳ ଅଞ୍ଚଳ ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ସୁନାଘାସ ନାଳିଆ ବିଲୁପ୍ତହେବାକୁ ବସିଲାଣି। ନାଳିଆ ଏକ ଶକ୍ତ ଘାସ, ଲୁଣା ହେନ୍ତାଳ ଜଙ୍ଗଲ ଅବକ୍ଷୟ ରୋକିବାରେ ସହାୟକ ହୋଇଥାଏ। ଜଙ୍ଗଲ ପାଶର୍ବ ନଦୀନାଳ କଡ଼ରେ ବହୁ ମାତ୍ରାରେ ନାଳିଆ ଘାସ ଦେଖିବାକୁ ମିଳୁଥିଲା। ଏଥିରେ କୌଳିକ ବୃତ୍ତିଧାରୀ ବୁଣାକାର ପରିବାରମାନେ ଟୋକେଇ, ପାଚିଆ, ଚାଉଳ ଧୁଆ ଝାଙ୍କି, କୁଆଁର ପୁନେଇ ତାଟ ଓ ରଙ୍ଗ ବେରଙ୍ଗର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକରି ଗଁା ଗଁା ବୁଲ ବିକ୍ରି କରୁଥିବା ଦୃଷ୍ଟିକୁ ଆସୁଛି।
ଏମାନେ କହିବା କଥା ପୂର୍ବରୁ ନଦୀନାଳ ପାର୍ଶ୍ୱରେ ମିଳୁଥିବା ନାଳିଆ ଘାସ ବିଲୁପ୍ତହେବାକୁ ବସିଲାଣି। ଦିନ ସାରା ବୁଲି ସନ୍ଧ୍ୟାରେ ଅଟାଇ ହେଉନି ବୋଲି କୁହାଯାଉଛି। ଏହି ନାଳିଆ ଘାସ ସଂଗ୍ରହକରି ଖରାରେ ଶୁଖାଇ ରଙ୍ଗବେରଙ୍ଗର ବୁଣାବୁଣି କରିବା ସହ ଗଁା ଗଁା ବୁଲିଲେ ମଧ୍ୟ ମଜୁରି ମିଳେନି ବୋଲି କହିଛନ୍ତି ବୁଣାକାର ପରିବାର। ଅପରପକ୍ଷରେ ବତିଘର, ଖରିନାସୀ, ରାମନଗର, ଜମ୍ବୁ, ସୁନିତି ଓ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଜଙ୍ଗଲ ଅଞ୍ଚଳରେ ନାଳିଆ ଘାସ ସଂଗ୍ରହ କରିଥାଉ ବୋଲି କୁହାଯାଉଛି।
ବ୍ଲକ୍ ଅଧୀନ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ପାରେଶ୍ୱରପୁର ଯେନାସାହିରେ ୫୦ରୁ ଅଧିକ ନାଳିଆ ବୁଣାକାର ପରିବାର ମହିଳା ବିଭିନ୍ନ ଘରକରଣା ସାମଗ୍ରୀ ବୁଣାବୁଣି କରି ପରିବାର ପ୍ରତିପୋଷଣ କରୁଛନ୍ତି। ନାଳିଆ ଟୋକେଇ ୨ଟା (ହଳ ପ୍ରତି) ହଜାରରୁ ୧୨ ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଭିନ୍ନ ଭିନ୍ନ ମୂଲ୍ୟ ଥାଏ ବୋଲି କୁହାଯାଉଛି। ସୋମବାର ପୂର୍ବାହ୍ନରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧରେ ଝୁମୁରୀ ଯେନା ଓ ଚମ୍ପେଇ ଯେନା ମୁଣ୍ଡେଇ ନାଳିଆ ଓ ଟୋକେଇ ଗଁା ଗଁା ବୁଲି ବିକ୍ରିକରିବା ପାଇଁ ଯାଉଥିବା ଦେଖିବକୁ ମିଳିଛି। ଆଗାମୀ ଦିନରେ କୌଳିକ ବୃତ୍ତି ବିପନ୍ନହେବାର କାରଣ ପ୍ଲାଷ୍ଟିକ୍ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ବୋଲି କହିଛନ୍ତି। ଏହି ବୁଣାକାର ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ଅଙ୍କୁର ପଲାଇ ପ୍ରମୁଖ ଦାବି କରିଛନ୍ତି।
Dharitri – Odisha’s No.1 Odia Daily


