ଗାଁକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରଘୁନାଥପୁର,୧୩।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ଏହା କେତେମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ରଘୁନାଥପୁର ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ କୃଷି କାର୍ଯ୍ୟାଳୟ ତଥା କୃଷି ପରାମର୍ଶ କେନ୍ଦ୍ର ପକ୍ଷରୁ ପଞ୍ଚାୟତସ୍ତରରେ ଚାଷୀମାନଙ୍କୁ ଚାଷ ସମ୍ଭନ୍ଧୀୟ ସୂଚନା ପ୍ରଦାନ ପାଇଁ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ)ଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ବହୁ ସମୟରେ ସେମାନଙ୍କ ଦେଖା ମିଳୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ସମ୍ବନ୍ଧୀୟ କୌଣସି ତଥ୍ୟ କିମ୍ବା ପରାମର୍ଶ ଜାଣିବାକୁ ଚାହିଁଲେ ସେମାନଙ୍କୁ ପାଇବା କଷ୍ଟକର ବ୍ୟାପାର ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି କୃଷି କାର୍ଯ୍ୟାଳୟରେ ୧୯ ପଞ୍ଚାୟତ ପାଇଁ ମାତ୍ର ୪ ଜଣ ଭିଏଡବ୍ଲ୍ୟୁ ଅଛନ୍ତି। ଜଣେ ଭିଏଡବ୍ଲ୍ୟୁ ଅଧୀନରେ ୪ରୁ ଊଦ୍ଧର୍‌ବ ପଞ୍ଚାୟତର ଦାୟିତ୍ୱ ରହିଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଫୋନ କଲେ ଉଠାଉ ନାହାନ୍ତି। ଯଦି କେହି ଫୋନ ଧରିଲେ ତାହେଲେ ଫିଲଡ଼ରେ ଥିବା କହି କାଟିଦେଉଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ନିଜ ସମସ୍ୟାର ସମାଧାନ ପାଇଁ ଡହଲବିକଳ ହେଉଛନ୍ତି। ଏହି କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଜ୍ଞାନେନ୍ଦ୍ର ଦଳେଇ କୁହନ୍ତି, ଆବଶ୍ୟକ ମୁତାବକ କର୍ମଚାରୀଙ୍କ ଅଭାବ ତଥା ଜଣେ ଭିଏଡବ୍ଲ୍ୟୁଙ୍କ ଅଧୀନରେ ଅଧିକ ପଞ୍ଚାୟତ ରହୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯିବ।