ଭୁବନେଶ୍ୱର,୨୫ା୭(ସତ୍ୟଜିତ୍ ରାଉତ):ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ। ହେଲେ ଅନେକ ସମୟରେ ଭୁଲ୍ ବୁଝାମଣା ଓ ମତଭେଦ ଏବଂ ବିଭିନ୍ନ ସମସ୍ୟା ପାଇଁ ଏହି ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଛି। ପରବର୍ତ୍ତୀ ସମୟରେ ଏହା ବିପଦ ସୃଷ୍ଟି କରୁଛି। ପାରିବାରିକ ହିଂସାରୁ ନିମିଷକେ ବହୁ ମୂଲ୍ୟବାନ ଜୀବନ ଚାଲିଯାଉଛି। କେଉଁଠି ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରୁଛନ୍ତି ତ’ ଆଉ କେଉଁଠି ବାପାଙ୍କୁ ପୁଅ ହତ୍ୟା କରୁଛନ୍ତି। ଏପରି କି ଭାଇ ଭାଇକୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏପରିକି କେତେକ ଘଟଣାରେ ପରିସ୍ଥିତିକୁ ସମ୍ଭାଳି ନ ପାରି କେହି କେହି ଆତ୍ମହତ୍ୟା କରି ଜୀବନ ହାରୁଛନ୍ତି। ଏଭଳି ଘଟଣା ସମାଜରେ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଥିବାରୁ ଏକ ବଡ଼ ଚିନ୍ତାର କାରଣ ସାଜିଛି। ପାରିବାରିକ କଳହକୁ କେନ୍ଦ୍ର କରି ରାଜ୍ୟରେ ସୋମବାର ୨ଟି ଘଟଣାରେ ୪ଜଣଙ୍କ ଜୀବନ ଯାଇଛି। ଭୁବନେଶ୍ୱରର ଶାନ୍ତି ବସ୍ତିରେ ରହୁଥିବା ଦମ୍ପତି ପାରିବାରିକ କଳହକୁ କେନ୍ଦ୍ର କରି ସ୍ଥାନୀୟ ବମିଖାଲ ନିକଟ ଟ୍ରେନ୍ ଲାଇନରେ ଶୋଇ ଆତ୍ମହତ୍ୟା କରିଥିବାବେଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଶଗଡ଼ିଆରେ ଜଣେ ବ୍ୟକ୍ତି ସ୍ତ୍ରୀ ଏବଂ ୭ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୩ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏଭଳି ଏକାଧିକ ଘଟଣା ଘଟିଥିବା ବେଳେ ଏହା ବଡ଼ ଚିନ୍ତାର ବିଷୟ ହୋଇଛି। ଗତ ଜୁନ ୧ରେ ପୁରୀ ଜିଲା ପିପିଲି ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ବାହା ନ କରିବାରୁ ପୁଅ ଉତ୍କ୍ଷିପ୍ତ ହୋଇ ହତ୍ୟାକାଣ୍ଡ ଘଟାଇଥିଲେ। ସେ ନିଜ ବାପାଙ୍କୁ ଟାଙ୍ଗିଆରେ ହତ୍ୟାକରି ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ। ଗତ ସପ୍ତାହରେ ଜଗତ୍ସିଂହପୁର ଥାନା ଅନ୍ତର୍ଗତ କାଦୁଆପଡ଼ା ପଞ୍ଚାୟତ ଅନ୍ତର୍ଗତ ରାୟଦଣ୍ଡାରେ ବାପାଙ୍କ ତେଣ୍ଟା ଆକ୍ରମଣରେ
ପୁଅଙ୍କ ଜୀବନ ଯାଇଥିଲା। ମା’ଙ୍କୁ ଆକ୍ରମଣ କାହିଁକି କଲ ବୋଲି ପଚାରିବାରେ ବାପା ଉତ୍କ୍ଷିପ୍ତ ହୋଇ ତେଣ୍ଟାରେ ପୁଅକୁ ଆକ୍ରମଣ କରିଥିଲେ। ଏପରି କି ଉକ୍ତ ଘଟଣା ପରେ ବାପାଙ୍କୁ ଫାଶୀ ଦିଆଯାଉ ନ ଚେତ୍ ସେ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ବଡ଼ ପୁଅ ଥାନାରେ ଅଭିଯୋଗ କରିଥିଲେ। କେବଳ ଆମ ରାଜ୍ୟରେ ନୁହେଁ ପାରିବାରିକ ସମସ୍ୟା ଦେଶରେ ମଧ୍ୟ ଏକ ବଡ଼ ସମସ୍ୟା ବୋଲି ତଥ୍ୟ କହୁଛି। ଏନ୍ସିଆର୍ବି ରିପୋର୍ଟ ଅନୁସାରେ, ୨୦୨୧ରେ ପାରିବାରିକ କଳହ ପାଇଁ ଭାରତରେ ଯେତେ ଆତ୍ମହତ୍ୟା ଘଟଣା ଘଟିଥିଲା ତାହାର ୩୩ ପ୍ରତିଶତ ଓଡ଼ିଶାରୁ ଥିଲା। ଓଡ଼ିଶାରେ ହୋଇଥିବା ଆତ୍ମହତ୍ୟା ମାମଲାରୁ ୭୧.୪ ପ୍ରତିଶତ ପାରିବାରିକ କଳହ ବୋଲି ଏନ୍ସିଆର୍ବି ତଥ୍ୟ ରଖାଯାଇଥିଲା। ସର୍ବମୋଟ୍ ଓଡ଼ିଶାରେ ୪,୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହୋଇ ୩,୨୫୭ ଜଣ ପୁରୁଷ ଚରମ ନିଷ୍ପତ୍ତି ନେଇଥିଲେ। ସେହିଭଳି ସ୍ବାମୀଙ୍କ ପାଇଁ ୭୭୬ ଜଣ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟରୁ ଜଣାପଡ଼ିଥିଲା।


