ମହାକାଳପଡ଼ା,୧୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରାକୃତିକ ପରିବେଶ ଶୋଭା ମନୋମୁଗ୍ଧକରେ, ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଡଲଫିନ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ନୀଳ ଜଳରାଶିରେ କିଛିବର୍ଷ ଧରି ଦେଖିବାକୁ ମିଳୁଛନ୍ତି। ବିଶେଷକରି ବିରଳ ପ୍ରଜାତିର ଇରାୱାଡ଼ି, ଗାଙ୍ଗେଟକ, ବଟଲନୋଜ, ହମ୍ପବେକ୍ , ଷ୍ଟିପେଡ଼ ଭଳି ଡଲଫିନ ଗଭୀର ସମୁଦ୍ରରୁ ଗହୀରମଥା ସାମୁଦ୍ରିକ ଅଞ୍ଚଳ ଅଭିମୁଖେ ଆସୁଥିବା ପରିବେଶବିତ୍ମାନେ କହିଛନ୍ତି। ଏଠାରେ ଡଲଫିନ୍ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି।
ବିଶେଷକରି ଧାମରା ମୁହାଣଠାରୁ ମହାନଦୀ ତ୍ରିକୋଣ ଭୂମି ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିମି ଅଞ୍ଚଳରେ ଅଲିଭ ରିଡ୍ଲେ କଇଁଛ, ଡଲଫିନ, ନୀଳରକ୍ତ କଙ୍କଡ଼ା, ଜେଲିଫିସ୍, ହର୍ଶୁ କ୍ରାବ୍, ନାଲି ରଙ୍ଗର କଙ୍କଡ଼ା ଭଳି ବିରଳ ପ୍ରଜାତିର ମାଛ, ସାମୁଦ୍ରିକ ଜଳଜୀବ ଦେଖିବାକୁ ମିଳେ। ଏହି ସାମୁଦ୍ରିକ ବିରଳ ପ୍ରଜାତିର ଜଳଜୀବ ବିଶେଷ କରି ପ୍ରଶାନ୍ତ ମହାସାଗରୀୟ ଜଳବାୟୁରେ ବହୁଳ ଭାବେ ଦେଖିବାକୁ ମିଳନ୍ତି। ଅପରପକ୍ଷରେ ଏମାନଙ୍କ ବିପଦ ସୃଷ୍ଟି କରୁଛି ବଡ଼ ବଡ଼ ଜାହାଜ ଚଳାଚଳ ଓ ଟ୍ରଲରମାନଙ୍କ ଗାଞ୍ଜି ଜାଲରେ ପଡ଼ିବା ଆଶଙ୍କା ରହିଛି ବୋଲି କୁହାଯାଇଛି। ପୂର୍ବବର୍ଷଗୁଡ଼ିକରେ ଡଲଫିନ ନୀଳ ଜଳ ରାଶିରେ ବିଶେଷଜ୍ଞ ଦଳ ୫ ଶହରୁ ଅଧିକ ଗଣନା କରଯାଇଥିଲା ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ସେହିପରି ବିସ୍ତୀର୍ଣ୍ଣ ସାମୁଦ୍ରିକ ଜଳରାଶିରେ ହାବେଳି ଖଟି, ଏକକୁଳା ନାଶି, ବାବୁବାଲି, ସାତଭାୟା, ଅଗର ନାଶି, ହୁକିଟୋଲା, ଲାଞ୍ଚଘୋଲା, ଷୋଳ ମୁହାଣ, ମାଦଳି ଓ ମହାନଦୀ ତ୍ରିକୋଣ ଭୂମି ଅବବାହିକାରେ ଡଲଫିନ ଜଳକ୍ରୀଡ଼ାରେ ଦେଖିବାକୁ ମିଳେ। ଏମାନଙ୍କ ନିରାପଦ ସୁରକ୍ଷା ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବନ ବିଭାଗ ଅଧୀନରେ ଅବସ୍ଥିତ ରହିଛି। ଅପରପକ୍ଷରେ ଗହୀରମଥା ସ୍ଥଳ ଭାଗରେ ଲୁଣା ହେନ୍ତାଳ ଜଙ୍ଗଲ, ତଣ୍ଡା ବେଳାଭୂମି ଝାଉଁବଣ ପରିବେଶରେ ହରିଣ, ବାର୍ହା, ହେଏନା, ବଣ ବିରାଡ଼ି, ଅରଣା ମଇଁଷି, ଶିଆଳ, ବିଭିନ୍ନ ସରୀସୃପ ଆଦି ଅଞ୍ଚଳରେ ଦେଖିବାକୁ ମିଳେ ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ସୁବାସ ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳ ପ୍ରଧାନଙ୍କୁ ପଚାରିବାରେ ପାଣିପାଗ ଜଳବାୟୁକୁ ନେଇ ବିଶେଷଜ୍ଞ ଦଳ ଡଲଫିନ ଗଣନା ଆରମ୍ଭ ହୋଇଥାଏ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

