Categories: ଫୁରସତ

ମଣିଷ ପାଇଁ ଡଗ୍‌ ବେଡ୍‌

ଯେଉଁମାନେ ଘରେ କୁକୁର ରଖିଥାନ୍ତି ସେମାନେ ନିଜ ପୋଷା କୁକୁରର ସୁଖ ସୁବିଧା ପାଇଁ ଅନେକ କିଛି କରନ୍ତି। ସେଥିମଧ୍ୟରେ ଗୋଟିଏ ହେଉଛି ସୁଖ ନିଦ ପାଇଁ ଆରାମଦାୟକ ଡଗ୍‌ ବେଡ୍‌ର ବ୍ୟବସ୍ଥା। ଯେଉଁଥିରେ ପୋଷା କୁକୁର ବେଶ୍‌ ଆରାମରେ ଶୋଇଥାନ୍ତି। ଏବେ କୁକୁର ମାଲିକଙ୍କ ପାଇଁ ବି ଆସିଯାଇଛି ଏକ ବଡ଼ ଆକାରର ଡଗ୍‌ ବେଡ୍‌। ‘ପ୍ଲଫି’ ନାମକ ଏହି ବେଡ୍‌ ଦୁଇଜଣ ଯୁବକ ନୋଆ ସିଲ୍‌୍‌ଭରମ୍ୟାନ ଓ ୟୁକି କିନୋଶିତା ଏକାଠି ମିଶି ତିଆରି କରିଛନ୍ତି। ୟୁନିଭର୍ସିଟି ଅଫ୍‌ ବ୍ରିଟିଶ କଲମ୍ବିଆର ଏମାନେ ଛାତ୍ର। ଦୁହେଁ ଓଭର୍‌ସାଇଜ୍‌ର ଡଗ୍‌ ବେଡ୍‌ ପ୍ରସ୍ତୁତ କରୁଛନ୍ତି। ଆଉ ଦାବି କରୁଛନ୍ତି ଯେ, ଏଥିରେ ବହୁତ ଭଲ ନିଦ ହୋଇଥାଏ। ଏଥିରେ ଗଡିବା କ୍ଷଣି ଆରାମ ମିଳେ ଓ ଶୋଇବା ବ୍ୟକ୍ତିଙ୍କୁ ସୁରକ୍ଷିତ ମନେ ହେବ। ତା’ସହ ଚାପ ଓ ଅବସାଦ ଦୂର ହେବ। ଏହା ଏକ ଅଣ୍ଡାକାର ବେଡ୍‌। ଏଥିରେ ତକିଆ ବି ଥାଏ। ଶୀତଦିନେ ଜାକି ଜୁକି ହୋଇ ଶୋଇବା ଭଳି ଏହି ବେଡରେ ଶୋଇବାକୁ ହୁଏ। ବେଡର ଚାରିପଟେ ତକିଆ ପରି ବାଡ ରହିଥାଏ। ଶୋଇବାବେଳେ ଏହା ଆରାମ ଓ ସୁରକ୍ଷା ପ୍ରଦାନ କରିଥାଏ। ଏଥିରେ ଉଭୟ ମାଲିକ ଓ କୁକୁର ସାଙ୍ଗ ହୋଇ ମଧ୍ୟ ଶୋଇପାରିବେ।

Share