ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓଏମ୍ଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସକାଳ ୯ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଚାଲୁଛି ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ରୋଗୀମାନେ ସକାଳ ୮ ଟାରୁ ପହଞ୍ଚି ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡୁଛି। ଦିନ ୧୧ଟା ପରେ ଡାକ୍ତର ବହିର୍ବିଭାଗ ଚିକିତ୍ସା ଚାମ୍ବରକୁ ଆସୁଛନ୍ତି। ସେହି ସମୟ ପର୍ଯ୍ୟନ୍ତ ରୋଗୀମାନେ ବହୁ ହଇରାଣ ଭୋଗୁଥିବା ରୋଗୀ ସମ୍ପର୍କୀୟ ତିଆଡ଼ି ନାୟକ, ଅଜିତ ପ୍ରଧାନ ଓ ରୋଗୀ ବିଶିକେଶନ ସାହୁ ପ୍ରମୁଖ କହିଛନ୍ତି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି ଯେ, ଜରୁରୀକାଳିନ ସେବା ଚାଲିଛି। ଯେଉଁ ରୋଗୀ ଜରୁରୀ ସେବା ଆବଶ୍ୟକ ଆମେ ତାଙ୍କୁ ସେବା ଯୋଗାଉଛୁ ବୋଲି କହିଛନ୍ତି। ସେ କହିଛନ୍ତି ଆବଶ୍ୟକ ଡାକ୍ତର ପଦବୀ ଯୋଗାଇଦେବା, ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା, କେବିକେ ନିୟମରେ ପରିବର୍ତ୍ତନ ଭଳି ଦାବିଗୁଡ଼ିକ ସରକାରଙ୍କ ନିକଟରେ ରହିଥିବା କୁହାଯାଇଛି।


