ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟରେ ଡାକ୍ତର ସଂଘ(ଓମ୍ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍ମା) ଲାଗୁ କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିରେ ସଚିବ ଦର୍ଶାଇଛନ୍ତି, ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡାକ୍ତର, ନର୍ସିଂ ଅଫିସର, ଫାର୍ମାସୀ ଅଫିସର, ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ, ଟେକ୍ନିସିଆନ, ଶ୍ରେଣୀ-୩ ଓ ୪ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ରାଜ୍ୟର ସରକାରୀ ହସ୍ପିଟାଲ ଓ ଡିସ୍ପେନ୍ସେରିରେ ଚିକିତ୍ସା ସେବା ଓ ପରିଚାଳନା ସହ ସଂପୃକ୍ତ ସେବା/ନିଯୁକ୍ତିରେ କାମ ବନ୍ଦ କରି ଆନ୍ଦୋଳନ କରିବାକୁ ନିଷେଧ କରିଛନ୍ତି, ଯାହାଦ୍ୱାରା ରାଜ୍ୟର ସ୍ବାସ୍ଥ୍ୟସେବା ଅବ୍ୟାହତ ରହିବ ଏବଂ ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ। ମାତ୍ର ଡାକ୍ତରୀ ସଂଘ ପକ୍ଷରୁ କେତେକ ଦାବି ନେଇ ଏବେ ଆନ୍ଦୋଳନ ଚାଲୁରହିଛି। ଏହାଦ୍ୱାରା ଜନସାଧାରଣ ସ୍ବାସ୍ଥ୍ୟସେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଓଡ଼ିଶା ଜରୁରୀ ସେବା ଆଇନ-୧୯୮୮ (ଓଡ଼ିଶା ଆଇନ-୯, ୧୯୯୨)ର ଧାରା-୩ର ଉପଧାରା(୧) ସହ ଧାରା-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ବ୍ୟବହାର କରିଛନ୍ତି। ଫଳରେ ଉପରୋକ୍ତ ବର୍ଗର ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଯେପରି ଆନ୍ଦୋଳନକୁ ନ ଓହ୍ଲାଇବେ ତାହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହି ଆଦେଶ ଆସନ୍ତା ୬ ମାସ ପାଇଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ସ୍ବତନ୍ତ୍ର ସଚିବ ଦର୍ଶାଇଛନ୍ତି।


