Categories: ଅପରାଧ

ସ୍ବାମୀଙ୍କ ସହ ଦୁଇ ସନ୍ତାନଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ଡାକ୍ତରାଣୀ

ମୁମ୍ବାଇ, ୧୮।୮: ମହାରାଷ୍ଟର ନାଗପୁର ସହରରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତରାଣୀ ତାଙ୍କ ସ୍ବାମୀ ଓ ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଡାକ୍ତରାଣୀଙ୍କ ନାମ ହେଉଛି ସୁମୋ ରାଣେ। ୪୧ ବର୍ଷୀୟା ସୁଷମା ତାଙ୍କ ସ୍ବାମୀ ତଥା ପ୍ରଫେସର ଧୀରଜ (୪୨ ବର୍ଷ) ଏବଂ ୧୧ ଓ ୫ ବର୍ଷର ଦୁଇ ସନ୍ତାନଙ୍କ ଶବକୁ କୋରାଡିସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି। ଧୀରଜ ଓ ଦୁଇ ପିଲାଙ୍କ ମୃତ ଦେହ ବେଡ୍‌ ରୁମ୍‌ରୁ ମିଳିଥିବାବେଳେ ସୁଷମାଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତକ ଧୀରଜଙ୍କ ମାଉସୀ ଯେତେବେଳେ କବାଡ଼ ବାଡ଼େଇଥିଲେ ଭିତରପଟୁ କୌଣସି ଉତ୍ତର ମିଳି ନ ଥିଲା। ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଘଟଣାସ୍ଥଳରୁ ୨ଟି ସିରିଞ୍ଜ ଓ ଗୋଟିଏ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଅସୁଖୀ ବୈବାହିକ ଜୀବନ ଯୋଗୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସୁଷମା ଏଥିରେ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରୁଛି କି, ସୁଷମା ପ୍ରଥମେ ଚେତାଶୂନ୍ୟ କରିବା ପାଇଁ ଖାଦ୍ୟରେ କିଛି ନିଶା ଔଷଧ ମିଶାଇ ସ୍ବାମୀ ଓ ସନ୍ତାନକୁ ଦେଇଥାଇପାରନ୍ତ୍‌ି। ପରେ ଅଜ୍ଞାତ ଇଞ୍ଜେସନ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି। ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆଗେଇଛି।