ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଓଜନ ହେଉଛି ମାତ୍ର ୩୦୦-୪୦୦ ଗ୍ରାମ୍। ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃତ୍ପିଣ୍ଡଟି ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚତ୍ଥିବା ଯାଏ କାର୍ଯ୍ୟ କରୁଥାଏ। ହୃତ୍ପିଣ୍ଡ ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃତ୍ପିଣ୍ଡଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍ଯନ୍ତ୍ର ପ୍ରତି ମିନିଟ୍ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃତ୍ପିଣ୍ଡ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍, ହୃତ୍ପିଣ୍ଡ ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ (ପ୍ରସାରିତ) ବିଶ୍ରାମ ନେଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍ ହୋଇଥାଏ। ହୃତ୍ପିଣ୍ଡର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲ୍ସ ପ୍ରେସର (ନାଡ଼ି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ହୃଦ୍ରୋଗର ଆଶଙ୍କା ଅଧିକ ଥାଏ। ହୃଦ୍ଜନିତ ସମସ୍ୟା ଥରେ ଜଣାପଡ଼ିଲେ ଏଥିପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକତା ପଡ଼ିଥାଏ।

