ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଡିଏମ୍‌କେର ବଡ଼ ଘୋଷଣା, ଜାଣନ୍ତୁ…

ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ଡିଏମ୍‌କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି।

ଦଳ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର ସଂସଦୀୟ ଦଳ ବୈଠକରେ ବିଲ୍‌କୁ ସମର୍ଥନ କରିବା ପାଇଁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିବା ଦଳର ବରିଷ୍ଠ ନେତା ତଥା ସାଂସଦ ଏ. ରାଜା କହିଛନ୍ତି।

ଷ୍ଟାଲିନ୍‌ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ସୀମା ନିର୍ଦ୍ଧାରଣ ବିଲ୍‌ରେ ତାଙ୍କ ଦଳର ୨ ମୁଖ୍ୟ ଦାବିକୁ ସାମିଲ କରାଯାଇଥିବାରୁ ଦଳ ଏହାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦଳର ସଂଘର୍ଷର ବିଜୟ ଏବଂ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟ ପାଇଁ ବିଜୟ ବୋଲି ସେ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା କହିଛନ୍ତି, ସବୁ ରାଜ୍ୟରେ ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଁ ଅଣାଯାଉଥିବା ପ୍ରସ୍ତାବିତ ବିଲ୍‌କୁ ଡିଏମ୍‌କେ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଲୋକ ସଭାରେ ତାମିଲନାଡୁର ୭.୧୮ ପ୍ରତିଶତ ଆସନ ଭାଗ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଡିଏମ୍‌କେ ସ୍ଥିରତା ବଜାୟ ରଖିଥିଲା। ଏବେ ଏହି ରାଜ୍ୟର ଭାଗ ୭.୨୧ ପ୍ରତିଶତକୁ ବଢ଼ିବାକୁ ଯାଉଥିବା ରାଜା କହିଛନ୍ତି।

Share