Odisha Elections 2024

ଦିବ୍ୟ ପୁଷ୍ପ

ସାକ୍ଷୀ ସେ ନଟଖଟ୍‌ କୃଷ୍ଣଙ୍କ ବାଲ୍ୟଲୀଳାର। ପୁଣି ସାକ୍ଷୀ ରାଧାକୃଷ୍ଣଙ୍କ ଅମର ପ୍ରେମର। ଶ୍ରୀହରିଙ୍କର ପ୍ରିୟ ସେ। ସେଥିପାଇଁ ତ ଲୋକେ କହନ୍ତି ‘ହରିପ୍ରିୟା’ । ପୁରାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବିଜ୍ଞାନ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ସ୍ବତନ୍ତ୍ରତା। ସେ ହେଉଛି ଦିବ୍ୟ କଦମ୍ବ…

ନିଦାଘ ତାତି ପରେ ଯେବେ ମୌସୁମୀର ପ୍ରଥମ ଛିଟା ଧରାବକ୍ଷରେ ପଡ଼େ ସେବେ ଫୁଟେ ଦିବ୍ୟ ପୁଷ୍ପ କଦମ୍ବ। ଆଉ ତା’ର ଦିବ୍ୟ ମନୋହର ମହକ ସାରା ପରିବେଶକୁ କରିଦିଏ ପ୍ରେମମୟ। ମନେ ପକାଇଦିଏ ରାଧାକୃଷ୍ଣଙ୍କର ସେଇ ଅମର ପ୍ରେମର ଗାଥାକୁ। ତା’ସହ ନବପଲ୍ଲବିତ କଦମ୍ବ ବୃକ୍ଷରାଜିରେ ଗାଁର ଦୃଶ୍ୟ ହୋଇ ଉଠେ ମନୋରମ। ଜନ୍ମାଷ୍ଟମୀ ହେଉ ଅବା ଖୁଦୁରୁକୁଣୀ ଆଗ ଖୋଜାପଡ଼େ ସୁବର୍ଣ୍ଣ ରଙ୍ଗର ଗୋଲ୍‌ ଗୋଲ୍‌ କଦମ୍ବ ଫୁଲର ସ୍ତବକ। ପୁରାଣଠୁ ଆରମ୍ଭ କରି ସ୍ବାସ୍ଥ୍ୟ, ବିଜ୍ଞାନ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ମହତ୍ୱ…
କଦମ୍ବ ଏକ ଚିରହରିତ ବୃକ୍ଷ। ତେବେ କେବଳ ଚତୁର୍ମାସ୍ୟା (ଆଷାଢ଼, ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସ)ରେ ହିଁ ଫୁଟେ ଏହାର ଫୁଲ। ଏହା ଏକ ଦେଶଜ ବୃକ୍ଷ। ଭାରତର ପ୍ରାୟ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳେ। ଏହାର ପତ୍ରଠୁ ଆରମ୍ଭ କରି ଚେର ପର୍ଯ୍ୟନ୍ତ ସବୁକିଛି ବହୁ ଦରକାରୀ।
ନାମକରଣ ବୃତ୍ତାନ୍ତ: ଏହି ଗଛର ନାମକରଣ କର୍ନାଟକର ପ୍ରଥମ ଶାସକ ‘କଦମ୍ବା’ ରାଜବଂଶ ଅନୁସାରେ ହୋଇଥିବା କୁହାଯାଏ। ଏହି ରାଜବଂଶ ସେତେବେଳେ ଉତ୍ତର କର୍ନାଟକ ଓ କୋଙ୍କଣକୁ ଏହାର ରାଜଧାନୀ ବନବାସୀଠାରୁ ଶାସନ କରୁଥିଲେ। କଦମ୍ବା ରାଜବଂଶର ସମସ୍ତେ କଦମ୍ବ ଫୁଲକୁ ଅତ୍ୟନ୍ତ ପବିତ୍ର ମନେ କରୁଥିଲେ। ତେଣୁ ଏହି ରାଜବଂଶର ନାମାନୁସାରେ ହିଁ ଏହାର ନାମ ‘କଦମ୍ବ’ ରଖାଯାଇଥିବା କୁହାଯାଏ। ତା’ସହ କଦମ୍ବା ବଂଶର ରାଜାମାନେ ପ୍ରତିବର୍ଷ ବସନ୍ତ ଉତ୍ସବ ଆୟୋଜନ କରୁଥିଲେ। ସେଥିପାଇଁ ଏବେ ବି ପ୍ରତିବର୍ଷ ବସନ୍ତ ଋତୁରେ କର୍ନାଟକ ସରକାର କଦମ୍ବା ରାଜବଂଶ ସମ୍ମାନାର୍ଥେ ବନବାସୀଠାରେ କଦମ୍ବ ଉତ୍ସବ ଆୟୋଜନ କରୁଛନ୍ତି। କହିବାକୁ ଗଲେ କର୍ନାଟକରେ କଦମ୍ବ ଫୁଲର ମାହାତ୍ମ୍ୟ ଖୁବ୍‌ ଅଧିକ।
କଦମ୍ବ ଫୁଲର ବୈଜ୍ଞାନିକ ନାମ ହେଉଛି ନିଓଲାମାର୍କିଆ କଦମ୍ବା। ଏହି ନାମ ଜର୍ମାନୀର ଜଣେ ପ୍ରକୃତି ପ୍ରେମୀଙ୍କ ନାମାନୁସାରେ କରାଯାଇଛି, ଯାହାଙ୍କ ନାମ ଥିଲା ଜିନ ବାପ୍‌ଟିଷ୍ଟ ଲାମାର୍କ। ତାଙ୍କରି ନାମାନୁସାରେ ହିଁ ଏହାର ନାମ ନିଓଲାମାର୍କିଆ କଦମ୍ବା ରଖାଯାଇଛି। ଏହି ଫୁଲ ଏସିଆ ମହାଦେଶର ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଦିଗରେ ବହୁଳ ଦେଖାଯାଏ। ଏହାବାଦ୍‌ ବାଂଲାଦେଶ, ମ୍ୟାନ୍‌ମାର, ନେପାଳ, ଶ୍ରୀଲଙ୍କା, କମ୍ବୋଡିଆ, ଫିଲିପାଇନ୍ସରେ ବି ମିଳେ।
ଦିବ୍ୟ ପୁଷ୍ପ କଦମ୍ବ: କଦମ୍ବ କହିଲେ ମନ ଭିତରେ ଆପେ ଯୋଡି ହୋଇଯାନ୍ତି ମୁରଲୀ ମନୋହର ଶ୍ରୀକୃଷ୍ଣ। କଦମ୍ବ ତ’ ତାଙ୍କର ପ୍ରିୟ ପୁଷ୍ପ ଆଉ କଦମ୍ବ ବନ ତାଙ୍କର ପ୍ରିୟ ଲୀଳାସ୍ଥଳ। ସେଥିପାଇଁ କଦମ୍ବ ”ହରିପ୍ରିୟା“ ବୋଲାଏ। ହିନ୍ଦୁ ସନାତନ ଧର୍ମରେ ଯୁଗ ଯୁଗ ଧରି ଯମୁନା ନଦୀ, ଶ୍ରୀରାଧା, ଶ୍ରୀକୃଷ୍ଣ ଓ ତାଙ୍କ ବଂଶୀସ୍ବନ ସହ କେଳି କଦମ୍ବ ଶାଶ୍ବତ ପ୍ରେମର ପ୍ରତୀକ ରୂପେ ପ୍ରତିଭାତ।
ସାହିତି୍ୟକା ସୁଷମା ପରିଜା କୁହନ୍ତି, ‘କୃଷ୍ଣଲୀଳାର ପ୍ରାୟ ସମସ୍ତ ଅଧ୍ୟାୟରେ କଦମ୍ବ ବୃକ୍ଷର ବର୍ଣ୍ଣନା ରହିଛି। ଯମୁନା ନଦୀକୂଳରେ ଗୋପାଳ ବାଳକଙ୍କ ସଙ୍ଗରେ ଖେଳିବା ହେଉ କି ଯମୁନାରେ ପ୍ରାତଃସ୍ନାନ କରୁଥିବା ଗୋପୀମାନଙ୍କ ବସ୍ତ୍ର ଚୋରି ହେଉ ବା କାଳୀୟ ଦଳନ ସମୟରେ କଦମ୍ବ ଡାଳରୁ ଲମ୍ଫ ପ୍ରଦାନ କରି କାଳୀୟ ନାଗର ଫଣା ଉପରେ ଠିଆ ହେବାର ଘଟଣା ଅଥବା କଦମ୍ବ ମୂଳରେ ଶ୍ରୀରାଧାଙ୍କ କୋଳରେ ମୁଣ୍ଡ ରଖି ବଂଶୀ ବଜାଇବା, ସବୁଥିରେ କଦମ୍ବର ଉପସ୍ଥିତି ତା’ର ଦିବ୍ୟତାକୁ ଦର୍ଶାଏ। କୁହାଯାଏ, ପ୍ରେମପାଗଳିନୀ ରାଧା ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଯମୁନା କୂଳର ସେହି କଦମ୍ବ ବୃକ୍ଷମୂଳରେ ପ୍ରତିଦିନ ଆସି ଅପେକ୍ଷା କରୁଥିଲେ ପ୍ରାଣପ୍ରିୟ କାହ୍ନୁଙ୍କର ଫେରିବା ବାଟକୁ। ଏହାବାଦ୍‌ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ଗଲାବେଳେ ଗୋଧୂଳି ଲଗ୍ନରେ ଯେଉଁ କଦମ୍ବ ବୃକ୍ଷ ଉପରେ ବସି ବଂଶୀ ବଜାଇ ଗାଇମାନଙ୍କୁ ନିଜ ନିକଟକୁ ଡାକୁଥିଲେ ସେହି ବୃକ୍ଷ ଆଜି ବି ନନ୍ଦଗ୍ରାମଠାରୁ ଅଳ୍ପ କିଛି ଦୂରରେ ଥିବାର ବିଶ୍ୱାସ କରାଯାଏ। ଏହି ବୃକ୍ଷ ‘ଟେର୍‌ କଦମ୍ବ’ ନାମରେ ବହୁ ପ୍ରସିଦ୍ଧ। ବାମନ ପୁରାଣ କହେ କଦମ୍ବ ବୃକ୍ଷ କାମଦେବଙ୍କର କର କମଳରୁ ଜାତ। କାମଦେବ ପ୍ରେମର ଦେବତା। ତାଙ୍କ ଧନୁରେ ନାରାଚ ରୂପେ ସେ କଦମ୍ବକୁ ରଖିଥାନ୍ତି, ତେଣୁ ସେହି ତୀରର ସ୍ପର୍ଶ ମାତ୍ରେ ବାତାବରଣରେ କଦମ୍ବର ଆଗ ମହକ ଖେଳିଯାଏ ଏବଂ ପ୍ରାଣୀର ଶରୀରରେ ଶତ କଦମ୍ବର ରୋମାଞ୍ଚ ସୃଷ୍ଟି ହୋଇଥାଏ ବୋଲି କଥିତ ଅଛି। କଦମ୍ବ ଫୁଲର ସହସ୍ର ପାଖୁଡ଼ା ଏହା ମଧ୍ୟ ସୂଚାଇଥାଏ ଯେ, ଏକ ବ୍ରହ୍ମରୁ ଅନେକ ଜୀବାତ୍ମାର ସୃଷ୍ଟି। ଅନ୍ୟାନ୍ୟ ପୌରାଣିକ ଉପାଖ୍ୟାନରୁ ଜଣାଯାଏ, ଏକଦା ବିଷ୍ଣୁଙ୍କ ବାହନ ଗରୁଡ଼ ସ୍ବର୍ଗରୁ ଅମୃତ ପାନ କରି ଫେରୁଥିବା ସମୟରେ ତାଙ୍କର ଚଞ୍ଚୁରୁ ବିନ୍ଦୁଏ ଅମୃତ ଆସି ପଡ଼ିଥିଲା କଦମ୍ବ ବୃକ୍ଷ ଉପରେ। ସେହି ଅମୃତ ପ୍ରଭାବରେ ସେହିଦିନରୁ କଦମ୍ବ ବୃକ୍ଷ ଚିରହରିତ୍‌ ହୋଇଗଲା। ଏହି ବୃକ୍ଷରୁ ନିର୍ଗତ ହେଉଥିବା ରସ (କାଦମ୍ବରୀ) ପ୍ରାଣୀର ଶରୀରରେ ମାଦକତା ଭରିଦିଏ। ଏହି କାଦମ୍ବରୀ ଥିଲା ଶେଷନାଗ ବଳରାମଙ୍କର ଅତି ପ୍ରିୟ ପାନୀୟ। ପୌରାଣିକ ତଥ୍ୟରୁ ମଧ୍ୟ ଜଣାଯାଏ ଯେ ମହାଭାରତ ଯୁଦ୍ଧ ପରେ ହସ୍ତିନା ପୁରରେ ଶାନ୍ତି ପ୍ରତିଷ୍ଠା କରି ମହାନାୟକ ଶ୍ରୀକୃଷ୍ଣ ଦ୍ୱାରକା ଫେରିବା ବେଳକୁ ଯାଦବ ବଂଶୀମାନେ କାଦମ୍ବରୀ ପାନକରି ଉନ୍ମତ୍ତ ହୋଇ ଏରକା ବଣ ଭିତରେ ପଶି ନିଜ ନିଜ ଭିତରେ ମରାମରି ହୋଇ ସମୂଳେ ନାଶ ହୋଇଥିଲେ ଏବଂ ସେହି ଦୁଃଖରେ ମ୍ରିୟମାଣ ହୋଇ ଶ୍ରୀକୃଷ୍ଣ ସମଗ୍ର ଦ୍ୱାରକା ନଗରୀକୁ ସାଗରଗର୍ଭରେ ଲୀନ କରି ଦେଇଥିଲେ।
କଦମ୍ବ ବୃକ୍ଷ, କଦମ୍ବ ଫୁଲକୁ ନେଇ ଅନେକ କଥା, ଗାଥା ଏବଂ ଜନଶ୍ରୁତି ରହିଛି। ମହାକବି କାଳିଦାସଙ୍କ ରଚିତ ରଘୁବଂଶ ଏବଂ ମେଘଦୂତ ମହାକାବ୍ୟରେ ମଧ୍ୟ କଦମ୍ବ ବୃକ୍ଷ ଓ ଫୁଲର ବର୍ଣ୍ଣନା ରହିଛି। ପ୍ରକୃତରେ କହିବାକୁ ଗଲେ କଦମ୍ବ ଏକ ସ୍ବର୍ଗୀୟ ପୁଷ୍ପ।
ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ସନ୍ନ୍ୟାସୀଜୀ କୁହନ୍ତି, ‘କଦମ୍ବ ବୃକ୍ଷ ସମ୍ପର୍କରେ ଭାଗବତ ପୁରାଣରେ ଉଲ୍ଲେଖ ରହିଛି। ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କର ଅଧିକାଂଶ ଲୀଳା ଏଇ ବୃକ୍ଷମୂଳେ ହିଁ ହୋଇଥିଲା। କହିବାକୁ ଗଲେ ଶ୍ରୀହରିଙ୍କର ଏହା ଅତି ପ୍ରିୟ। ଉତ୍ତର ଭାରତରେ ଏହା ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ ଥିବାବେଳେ ଦକ୍ଷିଣରେ ଏହି ବୃକ୍ଷ ଦେବୀ ପାର୍ବତୀଙ୍କ ସହ ଜଡ଼ିତ। ମହିଷମର୍ଦ୍ଦିନୀ ସ୍ତୋତ୍ରମ୍‌
ଅନୁସାରେ- ‘ଅୟି ଜଗଦମ୍ବ ମଦମ୍ବ କଦମ୍ବ ବନ ପ୍ରିୟ ଭାସିନୀ ହସ୍ର ରତେ..’। ଅର୍ଥାତ୍‌ କଦମ୍ବ ଦେବୀ ପାର୍ବତୀଙ୍କର ଅତି ପ୍ରିୟ। ସେ କଦମ୍ବ ବନରେ ରହିବାକୁ ବହୁତ ଭଲପାଆନ୍ତି। ସେଥିପାଇଁ ମା’ ପାର୍ବତୀ ‘କଦମ୍ବ ବନବାସିନୀ’ ନାମରେ ବି ପରିଚିତ। ଏହାବାଦ୍‌ ଏହି ଗଛକୁ ଦେବୀ ପାର୍ବତୀଙ୍କ ବୃକ୍ଷ ବୋଲି କୁହାଯାଏ। ବୌଦ୍ଧ ଧର୍ମରେ ସୁମେଧା ବୁଦ୍ଧ ଏହି ବୃକ୍ଷ ତଳେ ବସି ଆତ୍ମ ସାକ୍ଷାତ୍‌କାର ପ୍ରାପ୍ତ କରିଥିଲେ। ବୈଷ୍ଣବ ସାହିତ୍ୟରେ ଏହି ଫୁଲକୁ ନେଇ ଅନେକ କବିତା ରଚନା କରାଯାଇଛି।’
କବିର ଲେଖନୀରେ କଦମ୍ବ: କଦମ୍ବ ଫୁଲର ଅନନ୍ୟ ସୌନ୍ଦର୍ଯ୍ୟ ଓ ମନ୍ତ୍ରମୁଗ୍ଧ ମହକ ଅନେକ ସମୟରେ ଆନମନା କରିଛି କବିଙ୍କୁ। ଆଉ ସେମାନଙ୍କ ଲେଖନୀରୁ ଝରିପଡିଛି ଅନେକ ରସସିକ୍ତ କବିତାର ଧାରା। ଯେମିତିକି ”ଚାହାଁ ଲୋ ସଜନୀ କେ’ ସେ’ କଦମ୍ବ ମୂଳେ..“ ”କଦମ୍ବ ବନେ ବଂଶୀ ବାଜିଲାରେ, ରାଧା ଦମ୍ଭ ଶିଖରୀ ଭାଜିଲାରେ.. “।
ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଡ. ଲିଙ୍ଗରାଜ ରଥଙ୍କ ଲେଖନୀରୁ –
‘ନିଦାଘ ତାତିକୁ ଶୀତଳାଇ ଯେବେ, ମଉସୁମୀ ଗଲା ଛୁଇଁ
ପ୍ରୀତିର କଦମ୍ବ ଫୁଟିଲା ମନରେ, ନବ ଶିହରଣ ଦେଇ
ଯମୁନା କୂଳରେ, କଦମ୍ବ ମୂଳରେ କହ୍ନେଇ ରାଧିକା ସାଥେ,
ରଚିଥିଲେ ପ୍ରୀତି ଏ ବରଷା କାଳେ, ଥିଲା ତ ମୁରଲୀ ହାତେ।
ଗଲାଣି ସେଦିନ..ଆଜି ବି କଦମ୍ବ କହେ ସେ ପ୍ରେମର କଥା।
ନିଖିଳ ମାନସ ହୁଏ ପୁଲକିତ ଶୁଣି ସେ ପୀରତି ଗାଥା।’
ଗୌର ପଟ୍ଟନାୟକ ଲେଖନ୍ତି-
କଦମ୍ବ ଫୁଲଟେ ହୋଇ ଫୁଟିବୁକି
ମନ ବଗିଚାରେ ମୋର,
କଦମ୍ବ ଫୁଲରେ ଶରଧା ବଳିଛି
ରୂପରେ ପାଗଳ ତା’ର।
କଦମ୍ବ ବନମ୍‌ରୁ ମଦୁରାଇ: ମଦୁରାଇର ପୁରାତନ ନାମ କଦମ୍ବ ବନମ୍‌। କାରଣ ଏଠାରେ କଦମ୍ବ ଗଛ ବହୁଳମାତ୍ରାରେ ଥିଲା। ଏବେ ବି ଏଠାରେ କଦମ୍ବ ଗଛ ବହୁମାତ୍ରାରେ ଦେଖିବାକୁ ମିଳେ। ହିନ୍ଦୁ ପୌରାଣିକ କଥାନୁସାରେ ଚେନ୍ନାଇ ଦିନେ କଦମ୍ବ ଗଛରେ ପରିପୂର୍ଣ୍ଣ ଥିଲା। କୁହାଯାଏ, ଏଠାକାର କଦମ୍ବ ବନରେ ଦେବରାଜ ଇନ୍ଦ୍ର ପାପମୁକ୍ତ ହୋଇଥିଲେ। ଅର୍ଥାତ୍‌ ପୌରାଣିକ କଥାନୁସାରେ ରାକ୍ଷସୀ ବୃନ୍ଦାକୁ ଇନ୍ଦ୍ରଦେବ ହତ୍ୟା କରିଥିଲେ। ବୃନ୍ଦା ବ୍ରାହ୍ମଣୀ ଥିବାରୁ ଇନ୍ଦ୍ରଙ୍କୁ ଅଭିଶାପ ମିଳିଲା। ଆଉ ଶାପରୁ ମୁକ୍ତି ପାଇବା ଲାଗି ତାଙ୍କୁ ଏକ ବିକଳ୍ପ ଦିଆଯାଇଥିଲା। ତାହା ହେଉଛି ପାପମୁକ୍ତ ହେବା ଲାଗି ଇନ୍ଦ୍ରଙ୍କୁ ପୃଥିବୀର ସବୁଠାରୁ ପବିତ୍ର ସ୍ଥାନ ଖୋଜିବାକୁ ହେବ। କୁହାଯାଏ ଇନ୍ଦ୍ର ସାରା ପୃଥିବୀ ବୁଲିଲେ। ଆଉ ସେ ଅଭିଶାପରୁ ସେବେ ମୁକ୍ତ ହେଲେ ଯେବେ ଅନେକ କଦମ୍ବ ଗଛ ଥିବା ଏକ ଜାଗା ଦେଇ ଗଲେ। ସେଠାରେ ଲିଙ୍ଗ ଆକାରରେ ଭଗବାନ ଶିବ ମଧ୍ୟ ବିଶାଳ ବିଶାଳ କଦମ୍ବ ଗଛର ଛତ୍ର ତଳେ ଥିଲେ। ଯେଉଁଠାରେ ପରବର୍ତ୍ତୀ ସମୟରେ ଏକ ମନ୍ଦିର ନିର୍ମାଣ କରାଗଲା। ଏହି ମନ୍ଦିର ଏବେବି ଚେନ୍ନାଇରେ ଅଛି।
ଏବେ ବି ଅଛି ଗୋକୁଳର ସେଇ କଦମ୍ବ ବୃକ୍ଷ: ମଥୁରାର ଗୋକୁଳ ଗାଁରେ ୬୦୦୦ ବର୍ଷର ପୁରୁଣା ଏକ କଦମ୍ବ ବୃକ୍ଷ ଅଛି। ବିଶ୍ୱାସ କରାଯାଏ ଦିନେ ଏଇ କଦମ୍ବ ବୃକ୍ଷ ତଳେ ମା’ ଯଶୋଦା ନିଜର ନଟଖଟ୍‌ ପୁତ୍ର ଶ୍ରୀକୃଷ୍ଣଙ୍କ ପାଟି ଭିତରେ ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ କରିଥିଲେ। ତେଣୁ ଏହି ସ୍ଥାନ ଏବେବି କୃଷ୍ଣ ଭକ୍ତଙ୍କ ମନରେ ଭକ୍ତିର ଭାବ ଜାଗ୍ରତ କରାଏ। ଏମିତିରେ ତ ଗୋକୁଳର କୋଣ ଅନୁକୋଣ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ସାକ୍ଷୀ ହୋଇ ଅଛି। ଏଠାକୁ ଯାଉଥିବା ଭକ୍ତ ଏହାର ପ୍ରତିଟି ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ଅନୁଭବ କରନ୍ତି। ଆଉ ଏଠାକାର ବହୁ ପୁରାତନ କଦମ୍ବ ଗଛ ବି ତାଙ୍କ ଲୀଳାର ଏକ ଅଂଶ ଥିବା ବିଶ୍ୱାସ କରାଯାଉଥିବାରୁ ଭକ୍ତମାନେ ଏହାକୁ ସ୍ପର୍ଶ କଲେ ଦିବ୍ୟ ଅନୁଭୂତି ପାଆନ୍ତି। ଆଉ ବିଶ୍ୱାସ ରହିଛି ଯେ, ଏହା ଏକ ମନୋସ୍କାମନା ପୂରଣ କରୁଥିବା ବୃକ୍ଷ। ତେଣୁ ଭକ୍ତିଭାବରେ ଭକ୍ତମାନେ ଏଠାରେ ମାନସିକ କରନ୍ତି। ଗୋବର୍ଦ୍ଧନ ଓ ଭାଇଦୁଜ୍‌ରେ ଏଠାକୁ ଲକ୍ଷାଧିକ ଭକ୍ତ ଆସନ୍ତି ମନୋସ୍କାମନା କରିବା ପାଇଁ।
କଦମ୍ବ ଗଛର ଔଷଧୀୟ ଗୁଣ: ଆୟୁର୍ବେଦ ବିଶେଷଜ୍ଞ ଡା. ତ୍ରୈଲୋକ୍ୟନାଥ ମହାରଣା କୁହନ୍ତି,‘ଆୟୁର୍ବେଦରେ କଦମ୍ବ ଗଛର ପତ୍ର, ପୁଷ୍ପ, ଫଳ, ଚେର, ଛାଲି ବା ବଳ୍କଳ ଆଦି ସମସ୍ତ ଦ୍ରବ୍ୟ ଅତ୍ୟନ୍ତ ଭାବେ ଔଷଧୀୟ ଗୁଣରେ ଭରପୂର। ଏହି ବୃକ୍ଷ ତ୍ରିଦୋଷ ନାଶକ। ଏହାର ପତ୍ର ରସ ଏବଂ ଛାଲିର କ୍ବାଥ୍‌ କିମ୍ବା ଚୂର୍ଣ୍ଣ ଅତ୍ୟନ୍ତ କଟୁ, କଷାୟ, ତିକ୍ତ ଏବଂ ଏହା ଶୀତଳ ଗୁଣଯୁକ୍ତ। ତେଣୁ ଏହାକୁ ସେବନ କଲେ କଫ, ପିତ୍ତ, ଶୋଥ, କାଶ, ଦାହ ଆଦ ିରୋଗ ଭଲ ହୁଏ। ମହର୍ଷି ଚରକ କଦମ୍ବ ଗଛର ଔଷଧୀୟ ଗୁଣ ସମ୍ପର୍କରେ ବିସ୍ତାରଭାବେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ବ୍ୟଥା, ଫୁଲା ଆଦି ସ୍ଥାନରେ ଏହାର ପତ୍ରର ପ୍ରଲେପ ଦେଲେ ତତ୍‌କ୍ଷଣାତ ଯନ୍ତ୍ରଣା ନିବାରଣ ହୋଇ ଫୁଲା କମିଯାଏ। ବହୁ ପୁରାତନ କାଳରୁ ଗାଈଗୋରୁ ଓ ଅନ୍ୟ ପ୍ରାଣୀଙ୍କ କ୍ଷତସ୍ଥାନରେ ଲୋକେ କଦମ୍ବ ପତ୍ର ସହିତ ହଳଦୀ ବାଟି ପ୍ରଲେପ ଦେଇ ସେମାନଙ୍କୁ ସୁସ୍ଥ କରୁଥିଲେ।
କଦମ୍ବ ଗଛର ଫଳ ଦେଖିବାକୁ ଲେମ୍ବୁ ଆକୃତିର। ଏହା କଫ ନିବାରକ। ବିଭିନ୍ନ ପ୍ରକାର ସ୍ତ୍ରୀ ରୋଗ ପାଇଁ ମଧ୍ୟ ଅମୋଘ ଔଷଧ। ନାକ, ପାଟି ଆଦିରୁ ରକ୍ତ ପ୍ରବାହ ହେଉଥିଲେ ସେଇ ସ୍ଥାନରେ କଦମ୍ବ ଫଳ, ସ୍ବରସ ଅମୋଘ ଔଷଧ ଭାବେ କାର୍ଯ୍ୟ କରିଥାଏ। ଅତିସାର ବା ଡାଇରିଆ ଭଲ କରିବାରେ ଏହାର ପତ୍ର, ଛାଲିର ସ୍ବରସ ଅମୋଘ ଫଳ ଦେଇଥାଏ। ପ୍ରମେହ ବା ଡାଇବେଟିସ ରୋଗରେ କଦମ୍ବ ଗଛ ଛାଲିର ଚୂର୍ଣ୍ଣ ପ୍ରତ୍ୟେକ ଦିନ ସେବନ କଲେ ଆରୋଗ୍ୟ ମିଳେ। ଏହାର ଚୂର୍ଣ୍ଣ ପ୍ରତ୍ୟହ ସେବନ କଲେ ଓଜନ ହ୍ରାସ ପାଇ ମୋଟାପଣ ବା ଓବେସିଟି ଦୂର ହୋଇଥାଏ।
କଦମ୍ବ ପତ୍ର କଷାୟ ଓ କଟୁ ଗୁଣଯୁକ୍ତ ହୋଇଥିବାରୁ ଶରୀର ମଧ୍ୟରେ ଥିବା ବିଭିନ୍ନ ପ୍ରକାର କୃମି ରୋଗରୁ ଆରୋଗ୍ୟ ପ୍ରଦାନ କରିଥାଏ। ଆଳିଗୋ ସ୍ପେର୍ମିଆ ବା ଶରୀରରେ ଶୁକ୍ର କୀଟ ବୃଦ୍ଧିରେ ଏହାର ଚୂର୍ଣ୍ଣ ଗୁରୁତ୍ୱ ବହନ କରିଥାଏ।
ବିଭିନ୍ନ ମୁଖ ଓ ଦାନ୍ତ ରୋଗ ଯେମିତିକି ଦାନ୍ତ ଦୁର୍ଗନ୍ଧ ବା ପାଇରିଆ, ଦାନ୍ତ ମୂଳରେ କ୍ଷତ, ପୂଯ, ରକ୍ତସ୍ରାବରେ କଦମଗଛର ପତ୍ର, ମୂଳ, ଛାଲିର ଉଷୁମ କ୍ୱାଥ୍‌ ସୁଫଳ ପ୍ରଦାନ କରିଥାଏ। କୌଣସି କାରଣରୁ ପରିସ୍ରା କରିବା ପରେ ଯନ୍ତ୍ରଣା ହେଲେ ଏହାକୁ ଦୂର କରିବା ଲାଗି ଏହାର ସର୍ବତ ପିଇପାରିବେ। ଗ୍ରୀଷ୍ମପ୍ରବାହ ଅବା ଅତ୍ୟଧିକ ଷ୍ଟ୍ରେସ୍‌ କାରଣରୁ ଆଖିରେ ଯନ୍ତ୍ରଣା ହେଲେ ଆଖି ବନ୍ଦକରି ତା’ଉପରେ କଦମ୍ବ ପତ୍ର ପକାଇଲେ ଉପଶମ ମିଳିଥାଏ। ଜ୍ୱର ରୋଗୀକୁ ପ୍ରବଳ ତୃଷା ବା ଶୋଷ ହେଉଥିବା ସମୟରେ କଦମ୍ବ ଫଳ ରସରେ ସାମାନ୍ୟ ଜିରା ଚୂର୍ଣ୍ଣ ଓ ମିଶ୍ରି ମିଶାଇ ପିଆଇବା ଦ୍ୱାରା ତୃଷ୍ଣା ମେଣ୍ଟିବା ସହ ଦୁର୍ବଳତା ବି ଦୂର ହୁଏ। ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବା ଜରୁରୀ।
ଆର୍ଯ୍ୟଭଟ୍ଟ ଓ କଦମ୍ବ ଫୁଲ: ଏକଦା ବୈଜ୍ଞାନିକ ଆର୍ଯ୍ୟଭଟ୍ଟ ପୃଥିବୀକୁ କଦମ୍ବ ଫୁଲ ସହ ତୁଳନା କରିଥିଲେ। ସେ କହିଥିଲେ ପୃଥିବୀ କଦମ୍ବ ଫୁଲ ପରି। କଦମ୍ବ ଫୁଲ ଗୋଲାକାର ହୋଇଥିଲେ ହେଁ ଯେଉଁଭଳି ଏହାର ଚାରିପଟେ ଥିବା ଶତ ଶତ କେଶର ଏଥିରୁ ଖସିପଡ଼ନ୍ତି ନାହିଁ, କାରଣ ସେମାନଙ୍କୁ ଧରି ରଖିବାର ଶକ୍ତି ପୁଷ୍ପର ମୂଳପିଣ୍ଡରେ କେଶର ବୃନ୍ତମାନଙ୍କୁ ଧରି ରଖିଛି। ସେହିଭଳି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ଚାରିପଟେ ଥିବା ଜୀବଜଗତକୁ ଧରି ରଖିଛି।
ଡାକ ଟିକେଟରେ କଦମ୍ବ ଫୁଲ: କଦମ୍ବ ଫୁଲର ପବିତ୍ରତା ଓ କଦମ୍ବ ଗଛର ବହୁବିଧ ମାହାତ୍ମ୍ୟ ଥିବାରୁ ୧୯୭୭ ମସିହାରେ ଭାରତୀୟ ଡାକ ବିଭାଗ ମଧ୍ୟ କଦମ୍ବ ଫୁଲକୁ ଡାକ ଟିକେଟରେ ସ୍ଥାନ ଦେଇଛନ୍ତି।
ରାଜ୍ୟର ଜାତୀୟ ଚିହ୍ନ: କଦମ୍ବକୁ ନେଇ ଏକ ରୋଚକ ଐତିହାସିକ କଥା ଅଛି। ବ୍ରିଟିଶ ଶାସନ କାଳରେ ଏହି କଦମ୍ବ ଫୁଲ ଏକଦା ଓଡ଼ିଶା ଆଠମଲ୍ଲିକର ଜାତୀୟ ଚିହ୍ନ ବି ଥିଲା।
ଆମ ପରମ୍ପରା, ସଂସ୍କୃତି ସହ ଜଡ଼ିତ ଏହି ବୃକ୍ଷ ଦେବଦେବୀଙ୍କର ପ୍ରିୟ ହେବା ସହ ମାନବ ସମାଜର ବହୁବିଧ ଉପକାର କରିଆସୁଛି। ସେଥିପାଇଁ ଏହାର ସ୍ଥାନ ସବୁବେଳେ ସ୍ବତନ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଥିଲେ, ହୋଇଯାନ୍ତୁ ସାବଧାନ…

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ କେତେକ...

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ...

ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲେ…ଅଭିଭାବକ ଏମିତି ରୁହନ୍ତୁ ସଚେତନ

ବର୍ତ୍ତମାନ ଅଧିକାଂଶ ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଖେଳିବା ଲାଗି ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌...

ସକାରାତ୍ମକ ମାନସିକତା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଏ ନେଇ ଆମକୁ କେତୋଟି ଦିଗ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା

କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ...

ଶରୀରରେ ଭିଟାମିନ୍‌ ଡି’ର ଅଭାବ ହେଲେ, ଦେଖାଯାଏ ଏହି ରୋଗ: ତୁରନ୍ତ ଆପଣାନ୍ତୁ ଏସବୁ ଖାଦ୍ୟ

ଭିଟାମିନ୍‌ ‘ଡି’ ଶରୀରରେ ହାଡ଼ ଓ ମାଂସପେଶୀକୁ ମଜଭୁତ୍‌ ରଖିବାରେ ସାହାଯ୍ୟ କରେ। ହେଲେ ଶରୀରରେ ଯେତେବେଳେ ଏହି ଭିଟାମିନ୍‌ର ଅଭାବ ଘଟେ ସେତେବେଳେ ଏହା...

ଅବସାଦ ଦୂର କରିବାର ସହଜ ଉପାୟ

ଅବ୍ୟବସ୍ଥିତ ଜୀବନଶୈଳୀ, ଅଧିକ କାମର ବୋଝ ଆଦି କାରଣରୁ କେତେକ ବ୍ୟକ୍ତି ଅବସାଦ ବା ଡିପ୍ରେସନର ଶିକାର ହୋଇଥାଆନ୍ତି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବାର...

ଅଂଶୁଘାତର ପ୍ରତିକାର

”ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri