ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କାଗଜ ମୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲାରେ ୨୦ ହଜାରରୁ ଊଦ୍ଧର୍ବ ଫାଇଲ କାମ ଏବେ ଅନଲାଇନ ମାଧ୍ୟମରେ ହେଉଛି। ମାତ୍ର ୩ ମାସ ମଧ୍ୟରେ ଏଭଳି କାର୍ଯ୍ୟ ହୋଇପାରିଛି।
କେଉଁ ଅଧିକାରୀଙ୍କ ପାଖରେ କେତେ ଫାଇଲ ଅଛି ଏହି ବ୍ୟବସ୍ଥାରୁ ସହଜରେ ଉପଲବ୍ଧ ହେବ। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଏଥିରେ ଯୋଡି ହେବ। ସମସ୍ତ ଅଧିକାରୀଙ୍କୁ ଏନେଇ ଅବଗତ ସହ ତାଲିମ ପ୍ରଦାନ କରାଯାଇଛି। ଡିସେମ୍ବର ଶେଷସୁଦ୍ଧା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପେପର ଲେସ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ଜିଲାପାଳ ଭି ର୍କିତ୍ତି ଭାସନ କହିଛନ୍ତି।
ଏହାସହ ପେପର ଲେସ ଭାବେ ରାଜ୍ୟରେ ପ୍ରଥମ ଭାବେ ପରିଗଣିତ ହୋଇଛି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ। ଏଣିକି ଓସ୍ବାସ ଛଡା କୌଣସି ଫାଇଲ ଦସ୍ତଗତ ହେବ ନାହିଁ। ପେପର୍ ଲେସ ଯୋଜନାରେ ରାଜ୍ୟରେ ଗଞ୍ଜାମ ଜିଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣାଞ୍ଚଳ ଡିଭିଜନରେ ବି ପ୍ରଥମ ସ୍ଥାନ ହାସଲ କରିଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଏନେଇ ତତ୍ପରତା ଦେଖାଇ ଗତ ୧୮ ଅଗଷ୍ଟରେ ଏକ ଚିଠି ଏହି ଡିଭିଜନର ସମସ୍ତ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ। ଓସ୍ବାସକୁ ଛାଡି ସାଧାରଣ ଫାଇଲ କାମ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।


