ଏପ୍ରିଲ ୨୯ରେ ହାଜର ହେବାକୁ ଜିଲାପାଳ,ତହସିଲଦାରଙ୍କୁ ନିର୍ଦ୍ଦେଶ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅଧୀନ ମଦନପୁର ମାଙ୍କଡ଼ାପଥର ଖଣିରୁ ବେଆଇନ ଖନନ ଓ ଚୋରା ଚାଲାଣ ମାମଲାର ବିଚାର କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) କେନ୍ଦୁଝର ଜିଲାପାଳ ଓ ଘଷିପୁରା ତହସିଲଦାରଙ୍କୁ ଏପ୍ରିଲ ୨୯ରେ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେଇଛନ୍ତି। ଚୋରା କାରବାର ବାବଦରେ ସମୁଦାୟ ୨,୨୧, ୭୪୬ ଟଙ୍କା ଫାଇନ୍‌ ଆଦାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଲଢୁଥିବା ସରକାରୀ ଓକିଲ ସମାପିକା ମିଶ୍ର କୋର୍ଟଙ୍କୁ ଜଣାଇଛନ୍ତି। ତେବେ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ଆଦାୟ ପାଇଁ ଆକଳନ କରାଯାଇଥିବା ବେଳେ ମାତ୍ର ୦.୨୫ ପ୍ରତିଶତ ଫାଇନ ଆଦାୟ ହୋଇପାରିଛି। ଏଣୁ ରାଜ୍ୟ ସରକାର ଏନେଇ ସାନି ସତ୍ୟପାଠ ଦାଖଲ କରି ଉକ୍ତ ଫାଇନ ଆଦାୟ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସୂଚନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।
ପ୍ରକାଶ ଯେ, ବେଆଇନ ଭାବେ ଖଣି ଖନନ କରି ବ୍ୟାପକ ମାଙ୍କଡ଼ା ପଥର ଚୋରା ଚାଲାଣ ହୋଇଥିଲା। ଏନେଇ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ସ୍ଥାନୀୟ ଲୋକେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୯ରେ ଏହି ମାମଲା (ଅଭିଯୋଗ ଦରଖାସ୍ତ ନଂ.୧୧/୨୦୧୯) ଏନ୍‌ଜିଟିକୁ ଯାଇଥିଲା। ଉକ୍ତ ଖଣିରେ ପଥର ଖନନ ଯୋଗୁ ପରିବେଶ ପ୍ରଦୂଷଣ ହେବା ସହ ରାଜସ୍ବ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏପରି କି ଖଣି ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କ୍ଷତି ବାବଦକୁ ୭.୩୦ କୋଟି ଟଙ୍କା ଆଦାୟ କରିବା ସହ ସେମାନଙ୍କ ବିରୋଧରେ ଫାୈଜଦାରୀ ମାମଲା ରୁଜୁ କରିବା ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି କୋର୍ଟଙ୍କ ଆଦେଶକୁ ଅବମାନନା କରି ପ୍ରଶାସନ ଠିକ୍‌ ତଥ୍ୟ ଦେଉ ନ ଥିବା ଏବଂ ସମୟ ଗଡ଼ାଇ ଚାଲିଥିବାରୁ କୋର୍ଟ ଜିଲାପାଳ ଓ ତହସିଲଦାରଙ୍କୁ ହାଜର ହେବା ଲାଗି ଆଦେଶ ଦେଇଥିବା ଆବେଦନକାରୀଙ୍କ ଓକିଲ ଶଙ୍କର ପାଣି କହିଛନ୍ତି।