ଦେବଗଡ,୧୩ା୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି l ଏହାର ପ୍ରତିବାଦରେ ଜିଲାର ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ପୁର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ମଙ୍ଗଳବାର ସକାଳ ୬ ଟାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ। ଏ ନେଇ ସୋମବାର ସନ୍ଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଘୋଷଣା କରିଛନ୍ତି। ଜିଲା କଂଗ୍ରେସର ଅଭିଯୋଗ ଅନୁଯାୟୀ, ଦେବଗଡ଼ ଜିଲାରେ ଚଳିତ ଖରିଫରେ ଚାଷୀଙ୍କ ଚାଷ ଜମିର ଅନୁପାତ ଓ ସମବାୟ ସମିତିରେ ପଞ୍ଜୀକୃତ ଚାଷୀଙ୍କ ତୁଳନାରେ ଚାଷୀଙ୍କୁ ଟୋକନ ମିଳିନାହିଁ l ସେହିପରି ମଣ୍ଡିରେ ଚାଷୀଙ୍କଠାରୁ କୁଇଣ୍ଟାଲ ପ୍ରତି ସାଢେ ଚାରି କେଜିରୁ ପାଞ୍ଚ କେଜି ପର୍ଯ୍ୟନ୍ତ ଧାନ କଟଣି ଛଟଣି କରାଯାଉଥିବାରୁ ଚାଷୀ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି l ତେବେ ଚାଷୀଙ୍କ ଉପରୋକ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ମଙ୍ଗଳବାରୁ ଜିଲା କଂଗ୍ରେସ ପକ୍ଷରୁ ଆମରଣ ଅନଶନ କରାଯିବା ନେଇ କଂଗ୍ରେସ ସଭାପତି ହେମ୍ରମ ଘୋଷଣା କରିବା ସହ ଜିଲା କଂଗ୍ରେସର ଏହି ଆନ୍ଦୋଳନକୁ ଜିଲା କୃଷକ ସଂଘର୍ଷ ସଙ୍ଘ ପୁର୍ଣ ସମର୍ଥନ ଘୋଷଣା କରିଥିବା ହେମ୍ରମ ସୂଚନା ଦେଇଥିଲେ l ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ଏସ୍ସି ସେଲ ସଭାପତି ରମେଶ ଚନ୍ଦ୍ର ପାତ୍ର, ଜିଲା କଂଗ୍ରେସ ପୂର୍ବତନ ଉପ ସଭାପତି ମଞ୍ଜୁଳ ନାଏକ, ପୂର୍ବତନ ନଗର ସଭାପତି ରେବତୀ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।


