ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲ ଏବଂ ଗ୍ରାମର ରାସ୍ତା ନିର୍ମାଣ ପାଇଁ ଗତ ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିଥିବା ଦେବଷଣ୍ଢଗୁଡାର ଦୁଇ ସାହିର ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଯେଉଁ ଗାଁ କୁ ଅଙ୍ଗନବାଡ଼ି ଦିଦି ଓ ପଞ୍ଚାୟତ ପିଇଓ ଆସିବା କଷ୍ଟକର ସେହି ଗାଁକୁ ଜିଲା ମୁଖିଆ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହ ଗ୍ରାମବାସୀଙ୍କ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେବା ଆମପାଇଁ ସ୍ବପ୍ନ ବୋଲି ଗ୍ରାମର ସଦା ଖରା, ପୂର୍ଣ୍ଣ ଖରା, ସୁରେନ୍ଦ୍ର ଖରା, ଧବୁଲୁ ପାଙ୍ଗି, ସାଧୁ ଖରା, ନରି ଖରା, ରାସୁ ଖରା, ନରି ଖରା ପ୍ରମୁଖ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକ ଗସ୍ତରେ ଆସି ପ୍ରଥମେ ନନ୍ଦପୁର ସର୍ବେଶର ମନ୍ଦିରରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଯୋଜନାରେ ନିର୍ମିତ ଗୋଷ୍ଠୀ ଗୃହ ଏବଂ ଜଳାଶୟ ପ୍ରକଳ୍ପ, ନନ୍ଦପୁର ଉଚ୍ଚ ବିଦ୍ୟାଳୟ, ସିନ୍ଧେଦେବୀ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ଏପରୀକି ଐତିହାସିକ କିମ୍ବଦନ୍ତୀ ବତ୍ରିସ ସିଂହାସନ ପରିଦର୍ଶନ କରି ଉପସ୍ଥିତ ପୂର୍ତ୍ତବିଭାଗ ଅଧିକାରୀଙ୍କ ସହ ପ୍ରସ୍ତାବିତ ବିକାଶ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଋଣମେଳା ଓ ଆଇଟିଡିଏ ତରଫରୁ ହଳଦୀ ଚାଷୀଙ୍କୁ ଅର୍ଗାନିକ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ମାଳିମୁଣ୍ଡାର ଛାୟାବୃକ୍ଷ ରୋପଣ ପ୍ରକଳ୍ପ ଓ ଥୁବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ସେଠାରୁ ରାଇସିଂ ପଞ୍ଚାୟତର ବାସକି ନଦୀ ପାରହୋଇ ଆରପଟେ ଥିବା ଦେବଷଣ୍ଢଗୁଡା ଗ୍ରାମ ପରିଦର୍ଶନ କରିଥିଲେ।
ଜିଲାପାଳ ଗ୍ରାମବାସୀଙ୍କ ସହ ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ସରକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମବାସୀ ପ୍ରଥମେ ବାସକୀ ନଦୀ ଉପରେ ପୋଲ ର୍ନିମାଣ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ଗ୍ରାମର ମହିଳା, ଶିଶୁ, ଗର୍ଭବତୀ, କିଶୋରୀଙ୍କ ସମେତ ସୁଭଦ୍ରା ହିତାଧିକାରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।
ଏପରିକି ୯ କି.ମି ଦୂର କାତର୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ମହିଳା ଯିବା କିମ୍ବା କର୍ମଚାରୀ ଆସି ପୋଷଣ ଖାଦ୍ୟ ଓ ପ୍ରାକ ଶିକ୍ଷା ପ୍ରଦାନରେ ଅସୁବିଧା ହେଉଥିବା ନେଇ ଗ୍ରାମବାସୀ ଜଲାପାଳଙ୍କୁ ଅବଗତ କରାଇଥିଲେ।
ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ନିଯୁକ୍ତି, ରୋଜଗାର ସୃଷ୍ଟି କରିବାକୁ ଗ୍ରାମ ପାର୍ଶ୍ୱ ପାହାଡ଼ରେ କଫି ଚାଷର ସୁବିଧା କରାଇବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣି ଜିଲାପାଳ ଉପସ୍ଥିତ ବିଡିଓ ଦୁର୍ଗା ପ୍ରସାଦ ଦୋରା, ଆରଡି ବିଭାଗ ଯନ୍ତ୍ରୀ ଜୟନ୍ତ କୁମାର ସାହୁ, ଜଳଛାୟା ପ୍ରକଳ୍ପ ଓ କଫିବୋର୍ଡ ଅଧିକାରୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ବାସକୀ ନଦୀ ଉପରେ ଖୁଆଡ ଯୋଜନାରେ ପୋଲ ନିର୍ମାଣ, ବିଲାପୁଟ-କସନ୍ଦି ଭାୟା ଦେବଷଣ୍ଢଗୁଡା ରାସ୍ତା ନିର୍ମାଣ, ଗ୍ରାମର ମହିଳା ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି ସୁବିଧା ପ୍ରଦାନ, ଚାଷ ପାଇଁ ଜଳସେଚନ ସୁବିଧା, କୁକୁଡ଼ା ଓ ଛେଳି ପାଳନ ପାଇଁ ବ୍ୟବସ୍ଥା, ସମସ୍ତ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା, ନିଯୁକ୍ତି, ରୋଜଗାର ଓ ଲ୍ୟାଣ୍ଡ ସ୍ଲାଇଡିଂ ରୋକିବାକୁ ପାହାଡ଼ରେ କଫିଚାଷକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ଗଣମାଧ୍ୟମକ ସୂଚନା ଦେଇଥିଲେ।
ଗାଁକୁ ଜିଲାପାଳ ଏବଂ ଅନ୍ୟ ଅଧିକାରୀ ଆବଡା ଖାବଡା ରାସ୍ତାରେ ପାଦରେ ଚାଲି, ବାସକୀ ନଦୀ ପାର ହୋଇ ଆସିବା ଆମର ସୌଭାଗ୍ୟ ବୋଲି ଗ୍ରାମବସୀ କହିଛନ୍ତି। ଆଗାମୀ ଦିନରେ ନିଶ୍ଚିତ ସମସ୍ୟା ଦୂରହେବ ବୋଲି ଗ୍ରାମବସୀ ଆଶାବାଦୀ ରହିଛନ୍ତି।

