ଇତିହାସର ବିକୃତୀକରଣ

ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭୋଲ୍‌ଗୋଗ୍ରାଡ (ପୂର୍ବନାମ ଷ୍ଟାଲିନ୍‌ଗ୍ରାଡ)ରେ ଭାଷଣ ଦେବା ଅବସରରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣର ଯୁକ୍ତିଯୁକ୍ତତା ଦର୍ଶାଇବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭୟାବହତାକୁ ଉଜ୍ଜୀବିତ କରିଛନ୍ତି। ପାଶ୍ଚାତ୍ୟର ସମ୍ମିଳିିତ କ୍ରୋଧକୁ ଆମକୁ ବାରମ୍ବାର ପ୍ରତିହତ କରିବାକୁ ପଡ଼ିବ ବୋଲି ସିଧାସଳଖ କହିଥିଲେ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏଟ୍‌ ସଂଘର ମେଣ୍ଟ ଥିବା ଇଂଲଣ୍ଡ ଓ ଆମେରିକାର ନଁା ସେ ଧରି ନ ଥିଲେ। ସେ ମଧ୍ୟ କହିଥିଲେ ଯେ, ଜର୍ମାନୀ ଟ୍ୟାଙ୍କ୍‌ ଏବେ ରୁଷିଆ ପ୍ରତି ବିପଦ ଓ ନାଜିବାଦ ବିଚାରଧାର ବିରୋଧରେ ଯାଇ ତାହା ନିିଜକୁ ରକ୍ଷା କରିବାକୁ ବାଧ୍ୟ ହୋଇଛି। ଅବଶ୍ୟ ପୁଟିନ୍‌ଙ୍କ ଭାଷଣ ହେଉଛି ଇତିହାସର ଏକ ଦୁର୍ଭାବନାପୂର୍ଣ୍ଣ ବିକୃତୀକରଣ। ଭୟଙ୍କର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେଉଁ ସ୍ଥାନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ସୋଭିଏଟ ଏବଂ ଜର୍ମାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା ସେଠାରେ ଏଭଳି କହିବା ନିନ୍ଦନୀୟ। ରୁଷିଆ ନିଜକୁ ରକ୍ଷା କରୁନାହଁି, ବରଂ ଏହା ଏକ ସାର୍ବଭୌମ ରାଷ୍ଟ୍ର ୟୁକ୍ରେନ୍‌କୁ ଆକ୍ରମଣ କରିଛି। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜଣେ ଇହୁଦୀ ଯିଏ କି ତାଙ୍କ ସମ୍ପର୍କୀୟଙ୍କୁ ହୋଲୋକାଉଷ୍ଟ (ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୟୁରୋପୀୟ ଇହୁଦୀଙ୍କ ଗଣହତ୍ୟା ବା ଇହୁଦୀ ନରସଂହାର)ରେ ହରାଇଛନ୍ତି। କିନ୍ତୁ ଏବେ ନାଜି ବିଚାରଧାରା ଜେଲେନ୍‌ସ୍କି ଏବଂ ତାଙ୍କ ସାଥୀ ୟୁକ୍ରେନୀୟମାନଙ୍କୁ ରୁଷିଆ ଆକ୍ରମଣ ବିରୋଧରେ ଲଢ଼େଇ କରି ସେମାନଙ୍କ ଦେଶ ରକ୍ଷା କରିବା ଲାଗି ପ୍ରେରିତ କରିଛି; ଯାହା ପୁଟିନ୍‌ଙ୍କ ଭାଷାରେ ନିରର୍ଥକ ବା ହାସ୍ୟାସ୍ପଦ।
ରୁଷିଆ ପ୍ରତି ଜର୍ମାନୀ ଟ୍ୟାଙ୍କ ବିପଦ କୁହାଯାଉଥିବାବେଳେ ୟୁକ୍ରେନକୁ ୧୪ଟି ଲିଓପାର୍ଡ-୨ ଟ୍ୟାଙ୍କ୍‌ ପଠାଇବାକୁ ରାଜି ହେବାର ବହୁ ପୂର୍ବରୁ ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କ୍ଲୋଜ୍‌ କାହିଁକି ନିଷ୍ପତ୍ତି ନେବାକୁ ଦ୍ୱନ୍ଦ୍ୱରେ ରହିଥିଲେ। କାରଣ ସେ ଜର୍ମାନୀକୁ ଏକ ସାମରିକ ନେତୃତ୍ୱ ଭାବେ ଦେଖିବାକୁ ଚାହଁୁ ନ ଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଏମ୍‌୧ ଆବ୍ରାମ୍ସ ଟ୍ୟାଙ୍କ ଯୋଗାଇଦେବାକୁ ରାଜି ହେବା ପରେ ପୂର୍ବରୁ ଟ୍ୟାଙ୍କ ଦେବାକୁ ମନା କରୁଥିବା ସ୍କ୍ଲୋଜ୍‌ ଶେଷରେ ତାହା ଦେଲେ। ବହୁ ସମୟରେ ପୁଟିନ୍‌ଙ୍କ ଭଳି ଜର୍ମାନୀ ନେତାମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ବହୁବାର ଉଠାନ୍ତି। କିନ୍ତୁ ସେମାନେ ସେହି ଯୁଦ୍ଧରୁ ଯେଉଁ ନିଷ୍କର୍ଷ ବାହାର କରିଛନ୍ତି ତାହା ପୁଟିନ୍‌ଙ୍କ ଅହଂକାରୀ ତଥା ଆକ୍ରମଣାମତ୍କ ସାମରିକବାଦର ସମ୍ପୂର୍ଣ୍ଣ ବିପରୀତ। ଭୋଲଗୋଗ୍ରାଡରେ ପୁଟିନ ଭାଷଣ ଦେବାର ଗୋଟିଏ ସପ୍ତାହ ପୂର୍ବରୁ ଜର୍ମାନୀ ପାର୍ଲାମେଣ୍ଟ ହୋଲୋକାଉଷ୍ଟ ସ୍ମରଣବାର୍ଷିକୀ ପାଳନ କରିଥିଲା। ଲକ୍ଷାଧିକ ଇହୁଦୀଙ୍କୁ ହତ୍ୟା କରିବାରେ ଜର୍ମାନୀର ଐତିହାସିକ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେବା ଲାଗି ସ୍କ୍ଲୋଜ୍‌ ଏହା କରିଥିଲେ। ଏହାକୁ ସ୍ବୀକାର କରି ସେ କହିଥିଲେ ଯେ, ଏଭଳି ଏକ ଅପରାଧ ଆଉ କେବେ ଯେଭଳି ପୁନାରାବୃତ୍ତି ନ ହେବ ତାହା ନିଶ୍ଚିତ କରିବା ଜରୁରୀ।
ୟୁକ୍ରେନ୍‌କୁ ସହଯୋଗ କରିବାରେ ପ୍ରମୁଖ ଭୂମିକା ନେବା ଲାଗି ସ୍କ୍ଲୋଜ୍‌ଙ୍କ ଅନିଚ୍ଛାକୁ କେତେଜଣ ପର୍ଯ୍ୟବେକ୍ଷକ ସମାଲୋଚନା କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ସେ ଇତିହାସରୁ ଭୁଲ୍‌ ଶିକ୍ଷା ପାଇଛନ୍ତି। ସାମରିକ ଆକ୍ରମଣ ପ୍ରତି ତାଙ୍କ ବିମୁଖତା ଯୁଦ୍ଧ ପରବର୍ତ୍ତୀ ଶାନ୍ତିବାଦକୁ ପ୍ରକାଶ କରିଛି; ଯେଉଁଥିରେ ତାଙ୍କ ପିଢ଼ିର ଜର୍ମାନୀ ନେତାମାନେ ଗଢ଼ି ହୋଇଛନ୍ତି। ସେହିଭଳି ରୁଷିଆର ଗ୍ୟାସ୍‌ ଉପରେ ନିର୍ଭର କରିବା ପାଇଁ ଜର୍ମାନୀ ଅନେକ ଦଶନ୍ଧି ପୂର୍ବରୁ ନିଷ୍ପତ୍ତି ନେଇଛି। ବାଣିଜ୍ୟ ଓ ପାରସ୍ପରିକ ନିର୍ଭରଶୀଳତା ବଜାୟ ରଖିବା ପ୍ରୟାସକୁ ଯୁଦ୍ଧ ବିରୋଧୀ ଭାବେ ବିଚାର କରାଯାଇପାରେ। କିନ୍ତୁ ରୁଷିଆ ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ଜର୍ମାନୀ ତାହାର ମେଣ୍ଟଗୁଡ଼ିକର ବାଧ୍ୟବାଧକତାରେ ଏହାର ଶାନ୍ତିବାଦୀ ବୈଦେଶିକ ନୀତି ଉପରେ ପୁନର୍ବିଚାର କରିଛି ଓ ୟୁକ୍ରେନ୍‌କୁ ରକ୍ଷା କରିବା ଲାଗି ସାହାଯ୍ୟ କରିଛି।
ବହୁ ସମୟରେ ଅତୀତର ଭ୍ରମାମତ୍କ ସ୍ମୃତିରୁ ହିଂସା ଜନ୍ମ ନେଇଥାଏ। ଏ ଦୃଷ୍ଟିରୁ ଇହୁଦୀ ନରସଂହାର ଅଲଗା ନୁହେଁ। ଉଦାହରଣ ସ୍ବରୂପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନେତୃତ୍ୱରେ ଦକ୍ଷିଣପନ୍ଥୀ ରାଜନେତାମାନେ ଲଗାତର ଇହୁଦୀ ନରସଂହାରର ବାସ୍ତବ ଭୟାବହତାକୁ ଉଠାଉଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଇହୁଦୀ ନରସଂହାରର ସ୍ମୃତି ଏବଂ ଅନ୍ୟ ଐତିହାସିକ ଆଘାତଦାୟକ ଘଟଣାଗୁଡ଼ିକୁ ରାଜନେତାମାନେ ନିଜର ସୁବିଧା ଲାଗି କୌଶଳରେ ଏବଂ ଭୁଲ୍‌ ବାଟରେ ଉପଯୋଗ କରୁଛନ୍ତି କି। ସେଗୁଡ଼ିକର ବାସ୍ତବ ଗୁରୁତ୍ୱ ଏବଂ ଅର୍ଥକୁ ସବୁବେଳେ ତୁଳନାମତ୍କ ଭାବେ ଖରାପ ଭାବନାରେ ଦେଖାଯାଉଛି କି? ଯେଉଁମାନେ ଅତୀତକୁ ମନେପକାଇ ପାରନ୍ତି ନାହିଁ, ସେମାନେ ଏହାକୁ ପୁନରାବୃତ୍ତି କରିବା ଦୋଷାବହ; ସ୍ପାନିଶ-ଆମେରିକୀୟ ଦାର୍ଶନିକ ଜର୍ଜ ସାଣ୍ଟାୟାନାଙ୍କ ଏହି ପ୍ରସିଦ୍ଧ ଉକ୍ତି କ’ଣ ସତ ଥିଲା କି? ଉତ୍ତର ହଁ କିମ୍ବା ନା ହୋଇପାରେ, କିନ୍ତୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଐତିହାସିକ ଘଟଣାଗୁଡ଼ିକୁ ଦେଖିଲେ ସେଥିରୁ ଉପାଦେୟ ତଥା ପ୍ରଗତିଶୀଳ ଭାବନାର ଶିକ୍ଷା ମିଳିପାରିବ। ଯଦି ସେଗୁଡ଼ିକ ଉଚିତ ଶିକ୍ଷା ପ୍ରଗତିଶୀଳ ଭାବନା ନିହିତ ନ ଥାଏ, ତେବେ ସେଗୁଡ଼ିକ ଆମକୁ ଏକ ଭୁଲ୍‌ ସିଦ୍ଧାନ୍ତ ଆଡ଼କୁ ବାଟ କଢ଼ାଇ ନେବ।
ବିଭିନ୍ନ କ୍ଷେତ୍ରରେ ଇହୁଦୀ ନରସଂହାରକୁ ବର୍ଣ୍ଣନା କରିବାର ବିକୃତ ମାନସିକତାର ଦୃଷ୍ଟାନ୍ତ ରହିଛି। ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟା ମିଚେଲ ବ୍ୟାକମାନ୍‌ ବି ଟିକସ ବୃଦ୍ଧିକୁ ଇହୁଦୀ ନରସଂହାର ସହ ତୁଳନା କରୁଛନ୍ତି। ଏବକାର ରିପବ୍ଲିକାନ ପ୍ରତିନିଧି ମାଜୋରି ଟେଲର ଗ୍ରୀନି କି କୋଭିଡ୍‌-୧୯ ସାର୍ବଜନୀନ ସ୍ବାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ନାଜିଙ୍କ ଇହୁଦୀ ଗଣହତ୍ୟା ସହ ତୁଳନା କରୁଛନ୍ତି। ଦ୍ୱେଷ ଓ ଦୋଷଦର୍ଶିତାକୁ ନେଇ ଏଭଳି ରକ୍ଷାମତ୍କ ଦୃଷ୍ଟିକୋଣ ଗ୍ରହଣ କରାଯାଉଛି ଓ ଏଥିରୁ ବୁଝାପଡ଼େ ଯେ ଏ ବିଷୟରେ ସେମାନେ କିଛି ଜାଣିନାହାନ୍ତି। ଅନ୍ତର୍ଜାତୀୟ ଅସ୍କ୍ବିଜ କମିଟି ନିକଟରେ ଇହୁଦୀ ନରସଂହାରରୁ ବର୍ତ୍ତିଯାଇ ୟୁକ୍ରେନ୍‌ରେ ରହୁଥିବା ସେହି ଲୋକଙ୍କ ନିର୍ଯାତନାକୁ ନାଜିଙ୍କ ହାତରେ ସେତେବେଳେ ସହିଥିବା ନିର୍ଯାତନା ସହ ତୁଳନା କରିଛନ୍ତି। କିନ୍ତୁ ରୁଷିଆ ଏବେ ସ୍ପଷ୍ଟତଃ ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ନିର୍ଯାତନା ଏବଂ ଇହୁଦୀ ନରସଂହାର ଘଟଣାର ସମାନ୍ତରାଳ ତୁଳନା ଉଭୟର ଗମ୍ଭୀରତା ହ୍ରାସ କରୁଛି। ପ୍ରକୃତରେ ପୁଟିନ୍‌ ବହୁତ ଖରାପ, ତାଙ୍କୁ ହିଟଲରଙ୍କ ସହ ତୁଳନା କରିବାର କୌଣସି ପ୍ରୟୋଜନ ନାହିଁ।
ଦୁଇଟି ଭିନ୍ନ ଐତିହାସିକ ଘଟଣାକୁ ସମାନ ବୋଲି ଦର୍ଶାଇବା ବଦଳରେ ଇତିହାସରୁ ବହୁତ କିଛି ଶିଖିବାର ଅଛି। ଇତିହାସକୁ ଅନୁଧ୍ୟାନ କରିବାକୁ ହେଲେ ପ୍ରଥମେ ଆମେ କିଏ, କାହିଁକି ନିର୍ଦ୍ଦିଷ୍ଟ ଘଟଣା ଘଟିଲା ଏବଂ କିଭଳି କେଉଁ ବାଟରେ ସେଗୁଡ଼ିକୁ ଏବେସୁଦ୍ଧା ଆମକୁ ପ୍ରଭାବିତ କରୁଛି, ତାହା ବୁଝିବାକୁ ହେବ। କିନ୍ତୁ ସମାନ ବାଟରେ ସେହି ଘଟଣାଗୁଡ଼ିକର ଯେଭଳି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସତର୍କ ହେବା ଉଚିତ। ସମକାଳୀନ ନୀତିଗୁଡ଼ିକର ଅତୀତ ସହ କ’ଣ ସମ୍ପର୍କ ରହିଛି ତାହା ବିଚାର ନ କରି ଇହୁଦୀ ନରସଂହାର ଉତ୍ତରଦାୟିତ୍ୱକୁ ସ୍ବୀକାର କରି ବର୍ତ୍ତମାନ ୟୁକ୍ରେନ୍‌କୁ ଟ୍ୟାଙ୍କ ପଠାଇବାର କୌଣସି କାରଣ ନାହିଁ। ସେହିଭଳି ପ୍ରାୟ ଏକ ଶତାବ୍ଦୀ ପୂର୍ବେ ନାଜି ଜର୍ମାନୀ ହାତରେ ସେଭିଏଟ ସଂଘର ଲୋକେ ଭୋଗିଥିବା ଭୟଙ୍କର ନିର୍ଯାତନାକୁ ଏବକାର ରୁଷିଆ ଚଳାଇଥିବା ଆକ୍ରମଣ ସହ ସମାନ ବୋଲି ଦର୍ଶାଯାଇ ପାରିବ ନାହିଁ। ବ୍ରିଟିଶ ଓପନ୍ୟାସିକ ଏଲ୍‌.ପି. ହାର୍ଟଲେ ଲେଖିଥିଲେ, ଅତୀତ ହେଉଛି ଏକ ବିଦେଶ, ଯେଉଁଠି ସେମାନେ ବିଷୟଗୁଡ଼ିକୁ ଭିନ୍ନ ଭାବେ କରିଥାନ୍ତି। ଏହାର ମାନେ ନୁହେଁ ଯେ, ଆମେ ଏବେ ସବୁ ବିଷୟକୁ ଭିନ୍ନ ଭାବେ କରିବା ଅନିବାର୍ଯ୍ୟ। ତାଙ୍କ ଲେଖାକୁ ବୁଝିବାକୁ ହେଲେ ଆମକୁ ଜର୍ଜ ସାଣ୍ଟାୟାନାଙ୍କ ଉପଦେଶକୁ ଅନୁସରଣ କରିବାକୁ ହେବ ଏବଂ ଇତିହାସକୁ ସତର୍କତାର ସହ ପଢ଼ି ଅନୁଧ୍ୟାନ କରିବାକୁ ପଡ଼ିବ।

  • ଇଆନ ବୁରୁମା
    ପ୍ରତିଷ୍ଠିତ ଲେଖକ, ଦି ଚର୍ଚ୍ଚିଲ କମ୍ପ୍ଲେକ୍ସ

Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri