Categories: ମେଟ୍ରୋ

ମେଘଡମ୍ବରୁରେ ଧଳା କପଡ଼ା ପଡ଼ିବା ନେଇ ଅସନ୍ତୋଷ

ପୁରୁଣା ଭୁବନେଶ୍ୱର,୧୮।୯(ଡି.ଏନ୍‌.ଏ.): କନ୍ୟା ସଂକ୍ରାନ୍ତି ଅବସରରେ ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ନୀତକାନ୍ତିିରେ ବ୍ୟତିକ୍ରମ ହୋଇଥିବା ଜଣାପଡ଼ିଛି। ପ୍ରାତଃରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ ସରିବା ପରେ ଘଣ୍ଟୁଆ, ମେଘଡମ୍ବରୁ, ଘଣ୍ଟ, ମନ୍ଦିର ଚପରାସୀ ପଞ୍ଚୁଆତି ଘରକୁ ରୋଷହୋମ ସାମଗ୍ରୀ ପାଇଁ ଆଣିବାକୁ ଯାଇଥିଲେ। ଭୋଗ ଆଣିବା ସମୟରେ ମେଘଡମ୍ବରୁ ଉପରେ ନୂତନ କପଡ଼ା ପଡ଼ିବା ନେଇ ନିୟମ ରହିଥିବା ବେଳେ ଚଳିତ ବର୍ଷ ଏକ ଧଳା କପଡ଼ା ରଖାଯାଇ ଶ୍ରୀଜୀଉଙ୍କ ରୋଷ ସାମଗ୍ରୀକୁ ମନ୍ଦିରକୁ ଅଣାଯାଇଥିଲା। ଫଳରେ ଶହ ଶହ ବର୍ଷର ଶ୍ରୀଜୀଉଙ୍କ ଅନ୍ୟ ଏକ ପରମ୍ପରା ଭଙ୍ଗ ହେବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପରେ ଶ୍ରୀଜୀଉଙ୍କ ମନ୍ଦିର ଚୁଡାରେ ସମର୍ଥା ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରଦତ୍ତ ପତାକାକୁ ଲଗାଯାଇଥିଲା। ପରେ ଉକ୍ତ ଦିନର ପାଳିଆ ପୂଜାପଣ୍ଡା ସେବାୟତ ପଞ୍ଚୁଆତି ଘରୁ ଆସିଥିବା ଘିଅ ଓ ଗୁଡ଼ରେ ରୋଷହୋମ କରିଥିଲେ। ଏହା ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା।