Categories: ଗଞ୍ଜାମ

ପୋଷ୍ଟ ଅଫିସ ସ୍ଥାନାନ୍ତରଣ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୩୦ା୧୨: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ବ୍ରଜନଗରରେ ଅବସ୍ଥିତ ଆଇପିପିବିଏସ୍‌ (ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ସର୍ଭିସ) କ୍ଷମତା ଧାରଣକ୍ଷମ ପୋଷ୍ଟ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର ଏକ ସ୍ମାରକପତ୍ର ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଉଦ୍ଦେଶ୍ୟରେ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମୁଖ୍ୟ ଡାକଘର ବରିଷ୍ଠ ଉପନିରୀକ୍ଷକ ଚକ୍ରଧର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଛି, ଉକ୍ତ ପୋଷ୍ଟ ଅଫିସଟି ସ୍ଥାନୀୟ ବାସିନ୍ଦାଙ୍କ ଅନେକ ଦିନର ସଂଘର୍ଷ ଓ ଦାବି ପରେ ଅନୁମୋଦିତ ହୋଇ ଦୀର୍ଘ ୧୦ ବର୍ଷ ହେଲା ସ୍ଥାପନ ହେବାଠାରୁ ସେଠାରେ କାର୍ଯ୍ୟ କରି ଆସୁଛି। ବର୍ତ୍ତମାନ ପୋଷ୍ଟ ଅଫିସଟି ଯେଉଁଠାରେ କାର୍ଯ୍ୟ କରୁଛି ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସହଜ। ଏହା ସୁବିଧାଜନକ ସ୍ଥାନରେ ମଧ୍ୟ ରହିଛି। ବ୍ରଜନଗର ବାସିନ୍ଦା ସମେତ ଶ୍ରୀମା ନଗର, କାଳୁଆ ନଗର, ଗୋବିନ୍ଦ ବିହାର, ବସନ୍ତ ବିହାର, ଖାରବେଳ ନଗର, ବାପୁଜୀ ନଗର, ବ୍ରହ୍ମା ନଗର, ସିଦ୍ଧାର୍ଥ ନଗର,ମେଡିକାଲ ବ୍ୟାଙ୍କ କଲୋନୀ ବାସିନ୍ଦା ଏହା ଉପରେ ନିର୍ଭର କରନ୍ତି। ଏଠାରେ ସ୍ଥାୟୀ ଜମାଠାରୁ ଆରମ୍ଭ କରି ସୁକନ୍ୟା ଯୋଜନା ଏବଂ ଅନେକ ବରିଷ୍ଠ ନାଗରିକ ତଥା ପେନସନ୍‌ଧାରୀଙ୍କ ଖାତା ରହିଛି। ଏହି ଶାଖାକୁ କୌଣସି କାରଣ ନ ଥାଇ କର୍ତ୍ତୃପକ୍ଷ ଯଦି ଏଠାରୁ ସ୍ଥାନାନ୍ତର କରନ୍ତି ବ୍ରଜନଗର ଉନ୍ନୟନ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି। ସ୍ମାରକ ପତ୍ର ପ୍ରଦାନ ସମୟରେ ପରିଷଦ ସଭାପତି ଶିବ ପ୍ରସାଦ ମିଶ୍ର, ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ, ସହସମ୍ପାଦକ ବି.ଭି.ସାଗର, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।