ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ

ସାରସକଣା,୨।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପୋଖରିଡିହା ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ବଣ୍ଟନ ପାଇଁ ଆସୁଥିବା ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ଛତୁଆ ନେଇ ଆସିଥିବା ଗାଡ଼ିକୁ ସରପଞ୍ଚ କାଳିପଦ ସିଂଙ୍କ ସମେତ ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଝାରପୋଖରିଆ ଥାନା ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ବୁଝାଶୁଝା କରିବା ସହ ବିଡିଓଙ୍କୁ ଅଭିଯୋଗପତ୍ର ଦେବାକୁ କହିବା ପରେ ସେମାନେ ଗାଡ଼ିକୁ ଛାଡ଼ିଥିଲେ। ସରପଞ୍ଚଙ୍କ କହିବା ମୁତାବକ ଚଳିତମାସ ୧୪ ତାରିଖରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଦିଆଯାଉଥିବା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ଅଭିଯୋଗ କରିଥିଲେ। ଏହାର ନମୁନା ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ଏହାର ଯାଞ୍ଚ ପ୍ରକ୍ରିୟା ସରିବା ପୂର୍ବରୁ ପୁଣି ସେହି ଏସ୍‌ଏଚ୍‌ଜି (ସ୍ବୟଂ ସହାୟିକା ଗୋଷ୍ଠୀ)କୁ ବଣ୍ଟନ ଦାୟିତ୍ୱ ଦିଆଯିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ଡା. ବୁଢାନ ମୁର୍ମୁଙ୍କ କହିଛନ୍ତି, ସିଡିପିଓ ଫୋନ ମାଧ୍ୟମରେ ଛତୁଆ ବଣ୍ଟନ କରିବାକୁ ଦିଆଯାଉ ବୋଲି ତାଙ୍କୁ ଅନୁମତି ମାଗିଥିଲେ। ମାତ୍ର ସେ ମନା କରିଥିଲେ। ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ମାନ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିନାହିଁ ଏବଂ କେବେ ଆସିବ ଜଣାନାହିଁ। ସେତେଦିନ ପର୍ଯ୍ୟନ୍ତ କ’ଣ ଛୁଆମାନଙ୍କ ଖାଦ୍ୟ ବନ୍ଦ କରିହେବ। ପରୀକ୍ଷାଗାରରୁ ଅଖାଦ୍ୟ ବୋଲି ରିପୋର୍ଟ ନ ଆସିବା ଯାଏ ଏହାକୁ ଖାଦ୍ୟରେ ଗଣାଯିବ। ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଯୋଗାଯୋଗ କରିବାରୁ ଛତୁଆକୁ ନେଇ ଲୋକଙ୍କର କୌଣସି ଅଭିଯୋଗ ରହିଥିଲେ ମନ୍ତ୍ରୀଙ୍କ ଅଫିସ ଏବଂ ଜିଲାପାଳଙ୍କୁ ଅଭିଯୋଗପତ୍ର ପଠାଇଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।