ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର):
କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ମିଳିଛି। ସୂଚନାଥାଉ କି ମଣ୍ଡି ଖୋଲିବା ପୂର୍ବରୁ ମଣ୍ଡିରେ ଚାଷୀମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବେପାରୀଙ୍କଠାରୁ ଧାନ ସଂଗ୍ରହ କରାଯିବ ନାହିଁ ଏବଂ ପ୍ରତ୍ୟେକ ଧାନମଣ୍ଡିରେ ଚାଷୀ ଧାନ ରଖିବାକୁ ଉପଯୁକ୍ତ ସ୍ଥାନ ନିରୂପଣ ସହ ସେଠାରେ ଟେଣ୍ଟ କରି ଛାଇ କରିବା ସହିତ ଧାନ ରଖିବା ପାଇଁ ବସ୍ତା, ପାଲ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଆଦି ଯୋଗାଇ ଦେବାକୁ ସରକାରୀ ନିର୍ଦ୍ଦେଶନାମା ଦିଆଯାଇଥିଲା। ପାକ୍ସର ସମ୍ପାଦକମାନେ ସରକାରୀ ନିୟମକୁ ବେଖାତିର କରି ସମ୍ପାଦକମାନେ ଖୋଲାଆକାଶ ତଳେ ମଣ୍ଡି ଖୋଲି ଧାନ ସଂଗ୍ରହ କରିଥିବା ଦେଖିବାକୁ ମିଳିଛି। ଧାନମଣ୍ଡି ଉଦ୍ଘାଟନ ସମୟରେ ବାଙ୍କୀ ଉପଖଣ୍ଡ ନିବନ୍ଧକ ଅଧିକାରୀ ସୁରେନ୍ଦ୍ର କୁମାର ଜେନାଙ୍କ ସହିତ ପାକ୍ସର ସମ୍ପାଦକ, ନୋଡାଲ ଅଧିକାରୀ ଭାବେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଆରଏମ୍ସି କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଧାନ ସଂଗ୍ରହ କରୁଥିବାବେଳେ ଉପସ୍ଥିତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କେହି ବି ସରକାରୀ ନିୟମ ମାନୁ ନ ଥିବା ଜଣାପଡ଼ିଛି। କାହା ସାହସରେ ଅଧିକାରୀମାନେ ସରକାରୀ ନିୟମକୁ ଖୁଲମ୍ଖୁଲା ଉଲ୍ଲଂଘନ କରୁଛନ୍ତି। ଏସବୁର ବିଭାଗୀୟ ଅଧିକାରୀ ଏବଂ କଟକ ଜିଲାପାଳ ଯଦି ଏହାର ନିରପେକ୍ଷ ତଦନ୍ତ କରି ସରକାରୀ ନିୟମ ଉଲ୍ଲଂଘନକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକ୍ସଗୁଡ଼ିକର ଚାଷୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବାଙ୍କୀ ଆରଏମ୍ସି ଅଧିକାରୀ ଅଶୋକ ପ୍ରଧାନଙ୍କୁ ପଚାରିବାରେ ପ୍ରତ୍ୟେକ ପାକ୍ସର ସମ୍ପାଦକମାନଙ୍କୁ ଆବଶ୍ୟକ ମୁତାବକ ପାଲ ଯୋଗାଇଦେବା, ସରକାରୀ ନିୟମ ମାନି ପ୍ରଥମେ ଚାଷୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବାଙ୍କୀ ଏଆର୍ସିସି ସୁରେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ପଞ୍ଜୀକୃତ ଚାଷୀଙ୍କ ନାମ ଅନୁସାରେ ଯେଉଁ ଜମିର ପଟ୍ଟା ଜମା ଦିଆଯାଇଛି, ସେହି ଜମିରେ କେଉଁ ଧାନ ଚାଷ କରିଛନ୍ତି ଏବଂ ମଣ୍ଡିରେ କେଉଁ ଧାନ ସଂଗ୍ରହ କରାଯାଉଛି, ତାହାର ତଦନ୍ତ କରାଯିବ। ତ୍ରୁଟି ଥିଲେ ସମ୍ପାଦକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ପଚାରିବାରେ ପ୍ରତ୍ୟେକ ଧାନମଣ୍ଡିରେ ପାକ୍ସର ସମ୍ପାଦକମାନେ ଚାଷୀମାନଙ୍କ ସୁବ୍ୟବସ୍ଥା କରିବେ। ଯଦି ଏଥିରେ ତ୍ରୁଟି ହୋଇଥାଏ, ଜିଲା ସିଏସ୍ଓଙ୍କ ସହ ଆଲୋଚନା କରି ତଦନ୍ତ କରାଯିବା ସହ ସତ୍ୟତା ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Dharitri – The Largest & Most Trusted Odia Daily

