ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା,୬।୭: ଗଞ୍ଜାମ ଜିଲା ପୋଲସରା ସହରର ରାଣୀପଡାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ଟିକାକରଣ ଲାଗି ଟିକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା। ଇତି ମଧ୍ୟରେ ଗହଳି ଭିତରେ ଟିକା ନେବା ଲାଗି ଆଗଭର ହେଉଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ପୋଲସରା ଥାନା ନିକଟ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ। ଲୋକଙ୍କ ଠେଲା ଠେଲି ଭିତରେ ଭାନୁମତି ତଳେ ପଡିଯାଇଥିଲେ। ମହିଳା ଜଣକ ତଳେ ପଡିଯିବାପରେ ତାଙ୍କ ପଛରେ ଥିବା ଲୋକେ ତାଙ୍କ ଉପରେ ପଡି ଯାଇଥିଲେ। ଫଳରେ ଭାନୁମତିଙ୍କ ଛାତିର ପଞ୍ଜରା ହାଡ ଭାଙ୍ଗିଯାଇଥିଲା। ପରିବାର ପକ୍ଷରୁ ଭାନୁମତିଙ୍କୁ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ୧୦୮ ଯୋଗେ ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନର ଢିଲା ନୀତି ଯୋଗୁ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଥିଲା ବୋଲି ଆହତଙ୍କ ପୁଅ ପ୍ରତାପ ସାହୁ ପ୍ରକାଶ କରିଥିଲେ। ଘଟଣା ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ନାୟକ ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।